ମହାରାଷ୍ଟ୍ରରେ ସସ୍‌ପେନ୍ସ: ଦୁଇ ଥର ବସିଲା ସିଡବ୍ଲ୍ୟୁସି ବୈଠକ

ହୋଟେଲରେ ଉଦ୍ଧବ-ପାୱାର ଆଲୋଚନା, ବିଧାୟକଙ୍କ ସହ କଥା ହେଲେ ସୋନିଆ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସସ୍‌ପେନ୍ସ ଜାରି ରହିଛି। ଆଜି ଶିବ ସେନା ମୁଖ୍ୟ ଉଦ୍ଧବ ଠାକ୍‌‌ରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଦ୍ଧବ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନ ‘ମାତୋଶ୍ରୀ’ରୁ ୭ କିମି ଦୂର ବିଳାସପୂର୍ଣ୍ଣ ତାଜ୍‌ ଲ୍ୟାଣ୍ଡସ୍‌ ଏଣ୍ଡ୍ ହୋଟେଲରେ ପାୱାରଙ୍କୁ ଭେଟିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି ଆଲୋଚନା ହୋଇଥିଲା। ବାଲ ଠାକ୍‌‌ରେ ୧୯୬୬ରେ ଶିବ ସେନା ଗଠନ କରିବା ଦିନଠାରୁ ମାତୋଶ୍ରୀ ହିଁ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମର ମୂଳପିଣ୍ଡ ପାଲଟିଛି। ଏହି ଭବନ ବାହାରେ କ୍ବଚିତ ଶିବ ସେନା ମୁଖ୍ୟ ଅନ୍ୟ ଦଳର ନେତାଙ୍କ ସହିତ ଆଲୋଚନା କରିବା ଦେଖାଯାଇଛି। ତେଣୁ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ଶିବ ସେନା ନିଜର ନୀତି ସହ ସାଲିସ କରିଥିବା ଅନୁମାନ କରାଯାଉଛି। ବିଜେପି ମନା କରିବା ପରେ ରାଜ୍ୟପାଳ ଗତକାଲି ଶିବସେନାକୁ ସରକାର ଗଠନ କରିବା ଲାଗି ଡାକିଥିଲେ। ଏଥିପାଇଁ ଏହି ଦଳକୁ ୨୪ ଘଣ୍ଟାର ସମୟ ପ୍ରଦାନ କରିଥିଲେ। ସୋମବାର ସନ୍ଧ୍ୟା ୭ଟା ୩୦ ସୁଦ୍ଧା ଜଣାଇବା ଲାଗି ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା। ମହାରାଷ୍ଟ୍ରରେ ମୋଟ ୨୮୮ଟି ଆସନ ଥିବାରୁ ଏଠାରେ ସରକାର ଗଠନ ପାଇଁ ସର୍ବନିମ୍ନ ୧୪୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ତେବେ ଶିବ ସେନା, ଏନସିପି ଏବଂ କଂଗ୍ରେସର ବିଧାୟକଙ୍କ ସମର୍ଥନକୁ ବିଚାରକୁ ନେଲେ ସେମାନଙ୍କ ମୋଟ ବିଧାୟକ ସଂଖ୍ୟା ୧୫୪ ହେଉଛି। ତେଣୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ଏମାନଙ୍କ ପାଖରେ ୯ ଜଣ ଅଧିକ ବିଧାୟକ ରହୁଛନ୍ତି।

ନୂଆଦିଲ୍ଲୀ/ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ଦିନତମାମ ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ କସରତ ଚାଲିଥିଲା। ନୂଆଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇ ଥର କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ହୋଇ ମହାରାଷ୍ଟ୍ର ରାଜନୀତି ଉପରେ ଆଲୋଚନା ହୋଇଥିଲା। ସୋନିଆଙ୍କ ବାସଭବନ ୧୦ ଜନପଥରେ ପ୍ରଥମ ବୈଠକ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସାମ୍ବାଦିକମାନଙ୍କୁ କହିଥିଲେ, ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଅପରାହ୍ଣ ୪ଟାରେ ମହାରାଷ୍ଟ୍ରର ପ୍ରମୁଖ ନେତାମାନଙ୍କର ସହିତ ସିଡବ୍ଲ୍ୟୁସିର ଆଉ ଏକ ବୈଠକ ହେବ। ସେହି ବୈଠକରେ ଯାହା କିଛି ନିଷ୍ପତ୍ତି ନିଆଯିବ। ସିଡବ୍ଲ୍ୟୁସି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ, ଛଗନ ଭୁଜବଳ, ହରୀଶ ରାୱତ, କେ ‌ସି ବେଣୁଗୋପାଳ, ଅହମ୍ମଦ ପଟେଲ, ମୁକୁଳ ୱାସନିକ, ଏ କେ ଆଣ୍ଟୋନି ଏବଂ କୁମାରୀ ସେଲଜା ପ୍ରମୁଖ ଉପସ୍ଥିତ ଥିଲେ। ସିଡବ୍ଲ୍ୟୁସି ବୈଠକ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ବାଲାସାହେବ ଥୋରାଟ୍ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଅହମ୍ମଦ ପଟେଲଙ୍କ ସହ ଫୋନ ଯୋଗେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ‌ଏଥିସହିତ ଶିବ ସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହିତ ଟେଲିଫୋନରେ କଥା ହୋଇଥିଲେ। ଯଦି ସରକାର ଗଠନ ପାଇଁ ୩ ଦଳ ମଧ୍ୟରେ ସହମତି ପ୍ରକାଶ ପାଏ ତାହେଲେ ସରକାରର ରୂପରେଖ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସରକାରର ୪ ଗୁରୁତ୍ବପୂର୍ଣ୍ଣ ପଦ ଯଥା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବାଚସ୍ପତି ପଦରେ କେଉଁ ଦଳର ନେତା ବସିବେ ତାହା ଉପରେ ବିଚାରବିମର୍ଶ ହେବ। ତେବେ ଏହା ଆଲୋଚନା ହେଉଛି ଯେ, ମୁଖ୍ୟମନ୍ତ୍ରୀ ପଦରେ ଶିବ ସେନା ନେତା ବସିବେ। ଉପମୁଖ୍ୟମନ୍ତ୍ରୀ ପଦରେ ଏନସିପି ନେତା ଏବଂ ବାଚସ୍ପତି ପଦରେ କଂଗ୍ରେସ ନେତା ରହିବେ। ଜୟପୁରଠାରେ ଏକ ହୋଟେଲରେ ଥିବା ମହାରାଷ୍ଟ୍ରର କଂଗ୍ରେସ ବିଧାୟକମାନଙ୍କ ସହିତ ଆଜି ସଭାପତି ସୋନିଆ ଗାନ୍ଧୀ ଆଲୋଚନା କରିଛନ୍ତି। ସରକାର ଗଠନ ପାଇଁ ତାଙ୍କ ଦଳ ଶିବ ସେନାକୁ ସମର୍ଥନ ଦେବ କି ନାହିଁ ସେ ବିଷୟରେ ଆଲୋଚନା କରିଥିବା କୁହାଯାଉଛି। ଆଲୋଚନାର ନିଷ୍ପର୍ଷ କଣ ବାହାରିଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର