ସେପ୍ଟେମ୍ବର ୨୯ ତାରିଖକୁ ‘ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ’ ଭାବେ ପାଳନ କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଲା ୟୁଜିସି

ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୨୯ ତାରିଖକୁ ‘ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ’ ଭାବେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କରେ ପାଳନ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି)। ଏହି ଦିବସ ପାଳନ ଅବସରରେ ପ୍ରାକ୍ତନ ସେନା ଅଧିକାରୀମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କ ଠାରୁ ସେନା ବାହିନୀର ବଳିଦାନ ସଂପର୍କରେ ଶୁଣିବା ସହ ସ୍ୱତନ୍ତ୍ର ପ୍ୟାରେଡ୍‌ର ଆୟୋଜନ ଏବଂ ସେନା ବାହିନୀକୁ ନିଜର ସମର୍ଥନ ଜଣାଇ ଶୁଭେଚ୍ଛା ବାର୍ତ୍ତା ସହ କାର୍ଡ ପଠାଇବା ପାଇଁ ପରାମର୍ଶ ଦେଇଛି ୟୁଜିସି।

ଏଥିସହ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ଏନ୍‌ସିସି ୟୁନିଟ୍‌ ପକ୍ଷରୁ ସ୍ୱତନ୍ତ୍ର ପ୍ୟାରେଡ୍‌ର ଆୟୋଜନ ସହ ଏନ୍‌ସିସି କମାଣ୍ଡରମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ସୀମା ସୁରକ୍ଷା ଉପରେ ଉଦ୍‌ବୋଧନ କାର୍ଯ୍ୟକ୍ରମ ଆୟୋଜନ ଏବଂ ପ୍ରାକ୍ତନ ସେନା ଅଧିକାରୀମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କ ସହ ଦେଶ ସୁରକ୍ଷା ଓ ଯବାନମାନଙ୍କ ବଳିଦାନ ସଂପର୍କିତ ଆଲୋଚନାଚକ୍ରମାନ ଆୟୋଜନ କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କୁ କହିଛି ୟୁଜିସି।

ଖାଲି ଏତିକି ନୁହେଁ ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରୁ ଆରମ୍ଭ କରି ଦେଶର ପ୍ରତି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ପ୍ରମୁଖ ସହର ଏବଂ କ୍ୟାଣ୍ଟନମେଣ୍ଟରେ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଆୟୋଜିତ ହେବାକୁ ଥିବା ମଲଟି ମିଡିଆ ପ୍ରଦର୍ଶନୀକୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଯିବାକୁ କହିଛି ୟୁଜିସି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକ୍‌ ଅଧିକୃତ କଶ୍ମୀର (ପଓକେ)ରୁ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅତିକ୍ରମ କରି ଭାରତ ସୀମା ମଧ୍ୟରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରୁଥିବା ଆତଙ୍କବାଦୀମାନଙ୍କ ଉପରେ ସର୍ବପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ୨୦୧୬, ସେପ୍ଟେମ୍ବର ୨୯ ତାରିଖରେ ସୀମାପାର ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଭାରତୀୟ ସେନା ମଧ୍ୟରାତ୍ରରେ ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ବହୁ ଆତଙ୍କବାଦୀଙ୍କୁ ନିପାତ କରିବା ସହ ବହୁ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ଦେଇଥିଲେ।

ସମ୍ବନ୍ଧିତ ଖବର