ୟୁଜିସିର ନୂଆ ନିୟମ ଜାରି: ପିଏଚ୍‌.ଡି-ଏମ୍‌.ଫିଲ୍‌ରେ ନାମଲେଖାଇବା ହେଲା ସହଜ, ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନି ସାକ୍ଷାତକାର

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ କମିସନ୍‌(ୟୁଜିସି) ନୂଆ ନିୟମ ଜାରି କରିଛି। ନୂଆ ନିୟମ ଲାଗୁ ହେବା ପରେ ଛାତ୍ରଛାତ୍ରୀମାନଙ୍କୁ ପିଏଚ୍‌.ଡି ଓ ଏମ୍‌.ଫିଲ୍‌ରେ ନାମଲେଖାଇବା ପାଇଁ ସାକ୍ଷାତକାର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ପିଏଚ୍‌.ଡି ଓ ଏମ୍‌.ଫିଲ୍‌ କୋର୍ସ ପାଇଁ ଲିଖିତ ପରୀକ୍ଷା ଓ ସାକ୍ଷାତକାରରେ ପାସ କରିବା ପରେ ନାମ ଲେଖାଇବାକୁ ସୁଯୋଗ ମିଳୁଥିଲା। କିନ୍ତୁ ୟୁଜିସି ଏହି ନିୟମରେ ପରିବର୍ତ୍ତନ ଆଣିଛି।

ପୂର୍ବରୁ ୟୁଜିସିର ନିୟମ ଥିଲା ଏମିତି…

ୟୁଜିସିର ନିୟମ-୨୦୧୬ ଅନୁସାରେ ଛାତ୍ରଛାତ୍ରୀଙ୍କୁ ପିଏଚ୍‌.ଡି ଓ ଏମ୍‌.ଫିଲ୍‌ରେ ନାମ ଲେଖାଇବା ପାଇଁ ପ୍ରଥମେ ଲିଖିତ ପରୀକ୍ଷାରେ ୫୦ ପ୍ରତିଶତ ନମ୍ବର ଆଣିଲେ ସାକ୍ଷାତକାର ପାଇଁ ଡକାଯାଉଥିଲା। ଶେଷରେ ସାକ୍ଷାତକାରର ପ୍ରଦର୍ଶନ ଅନୁସାରେ ପିଲାଙ୍କୁ ନାମ ଲେଖାଇବା ପାଇଁ ସୁଯୋଗ ମିଳୁଥିଲା। ୟୁଜିସି ଦ୍ୱାରା ଜାରି କରାଯାଇଥିବା ନିୟମ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ପାଳନ କରିବାକୁ ହେବ।

ବର୍ଷ ୨୦୧୬ରେ ୟୁଜିସିର ନିୟମ ଅନୁସାରେ ପିଏଚ୍‌.ଡି ଅଥବା ଏମ୍‌.ଫିଲ୍‌ରେ ନାମଲେଖାଇବା ପାଇଁ ୭୦ ପ୍ରତିଶତ ମାର୍କ ଲିଖିତ ପରୀକ୍ଷା ଓ ୩୦ ପ୍ରତିଶତ ମାର୍କ ସାକ୍ଷାତକାରରୁ ନିଆଯାଉଥିଲା। କିନ୍ତୁ ଏଣିକି ଆଉ ଏହି ସାକ୍ଷାତକାର ହେବ ନାହିଁ। ସାକ୍ଷାତକାରକୁ ବାହାର କରି ଦିଆଯିବା ପରେ ନାମଲେଖା ପ୍ରକ୍ରିୟା ଲିଖିତ ପରୀକ୍ଷା ଆଧାରରେ ହେବ।

ୟୁଜିସି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫ ପ୍ରତିଶତ ମାର୍କ ରିହାତି ଦେଇଛି। ଏଥି ସହିତ ପିଏଚ୍‌.ଡି ଓ ଏମ୍‌.ଫିଲ୍‌ ବିଷୟରେ ନାମ ଲେଖାଇବାକୁ ହେଲେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ନମ୍ବର ଆଣିବାକୁ ପଡ଼ିବ।

ସମ୍ବନ୍ଧିତ ଖବର