ସତର୍କ କଲା ୟୁଜିସି:ନକଲି ବିଶ୍ୱବିଦ୍ୟାଳୟରେ ନାମ ଲେଖାଅନି

ତାଲିକାରେ ଓଡ଼ିଶାର ଦୁଇ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟରେ ନାମ ନ ଲେଖାଇବା ପାଇଁ ଆଜି ୟୁଜିସି (ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ) ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଡିଗ୍ରୀ ଦେବାପାଇଁ କୌଣସି ଅଧିକାର ଦିଆଯାଇନାହିଁ। ତେଣୁ ଏସବୁରେ ଆଡମିସନ୍‌ ନକରିବାକୁ କୁହାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୟୁଜିସି ପକ୍ଷରୁ ଏବେ ପ୍ରକାଶ ପାଇଥିବା ଏହି ୨୪ଟି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟ ରହିଛି। ଏହି ଦୁଇଟି ହେଲା, ମୟୂରଭଞ୍ଜ ଜିଲ୍ଲାର ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଏଗ୍ରିକଲଚର ଆଣ୍ଡ୍‌ ଟେକ୍‌ନୋଲୋଜି ଏବଂ ରାଉରକେଲାର ନବଭାରତ ଶିକ୍ଷା ପରିଷଦ। କେବଳ ଦିଲ୍ଲୀର ୮ଟି ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ରହିଛି। ତାଲିକାରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ପଣ୍ଡିଚେରିର ବିଶ୍ୱବିଦ୍ୟାଳୟ ମଧ୍ୟ ରହିିଛି।

ଦିଲ୍ଲୀର ୮ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ କମର୍ସିଆଲ ୟୁନିଭର୍ସିଟି ଲିମିଟେଡ୍‌, ୟୁନାଇଟେଡ୍‌ ନେସନ୍ସ ୟୁନିଭର୍ସିଟି, ଭୋକେସନାଲ ୟୁନିଭର୍ସିଟି, ଏଡିଆର-ସେଣ୍ଟ୍ରିକ୍‌ ଜୁଡିସିଆଲ ୟୁନିଭର୍ସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ୍‌ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲୟମେଣ୍ଟ୍‌, ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ। ସେହିପରି ବିହାରର ମୈଥିଲି ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକର ବଡ଼ଗନ୍‌ଭି ସରକାର ଓ୍ଵାର୍ଲ୍ଡ ଓପନ୍‌ ୟୁନିଭର୍ସିଟି, କେରଳର ସେଣ୍ଟ୍‌ ଜନ୍‌ସ ୟୁନିଭର୍ସିଟି, କୋଲକାତାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଅଲଟରନେଟିଭ୍‌ ମେଡିସିନ୍‌ ଆଣ୍ଡ ରିସର୍ଚ୍ଚ, ୟୁପିର ବର୍ଣ୍ଣସେୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ମହିଳା ଗ୍ରାମ ବିଶ୍ୱବିଦ୍ୟାଳୟ, ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ ୟୁନିଭର୍ସିଟି, ୟୁପି ବିଶ୍ୱବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ, କାନପୁରର ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି ଏବଂ ପଣ୍ଡିଚେରିର ଶ୍ରୀ ବୋଧି ଏକାଡେମି ଅଫ୍‌ ହାୟର ଏଜୁକେସନ୍‌ ମଧ୍ୟ ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ରହିଛି। ୟୁଜିସି ଗତବର୍ଷ ମଧ୍ୟ ୨୨ଟି ନକଲି ବିଶ୍ୱବିଦ୍ୟାଳୟର ନାମ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର