ପାକ୍‌ ଅଧିକୃତ ଜମ୍ମୁ-କଶ୍ମୀରର ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସତର୍କ ସୂଚନା ଜାରିକଲା ୟୁଜିସି

ନୂଆଦିଲ୍ଲୀ: ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଆଜି (ବୁଧବାର) ଭାରତୀୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛନ୍ତି। ପାକ୍‌ ଅଧିକୃତ ଜମ୍ମୁ-କଶ୍ମୀର (ପିଓଜେକେ) ହେଉଛି ଭାରତର ଏକ ଅଭିନ୍ନ ଅଙ୍ଗ। ତେବେ, ଏଠାରେ ଗଢ଼ି ଉଠିଥିବା ଏକାଧିକ ଶିକ୍ଷାନୁଷ୍ଠାନ ଯେପରିକି, ବିଶ୍ୱବିଦ୍ୟାୟ, ବୈଷୟକ ଶିକ୍ଷାନୁଷ୍ଠାନ ଓ ମେଡାକାଲ କଲେଜ ସବୁକୁ ଭାରତ ସରକାର ପ୍ରତିଷ୍ଠା କରିନାହାନ୍ତି କିମ୍ବା ଏଠାରେ ଗଢ଼ି ଉଠିଥିବା ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତ ସରକାରଙ୍କ ପକ୍ଷରୁ ସ୍ୱୀକୃତି ମଧ୍ୟ ପ୍ରଦାନ କରାଯାଇ ନାହିଁ। ଏଥିସହ ଭାରତ ସରକାରଙ୍କର ୟୁଜିସି, ଏଆଇସିଟିଇ ଏବଂ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ମଧ୍ୟ ଏହିସବୁ ଅନୁଷ୍ଠାନକୁ ମଞ୍ଜୁରି ପ୍ରଦାନ କରିନାହାନ୍ତି।

ସଂପୂର୍ଣ୍ଣ ବେଆଇନ୍‌ ଭାବେ ପାକିସ୍ତାନ ସରକାର ତଥାକଥିତ ଆଜାଦ୍‌ ଜମ୍ମୁ କଶ୍ମୀରର ଛତ୍ରଛାୟାରେ ଏହି ସବୁ ଅନୁଷ୍ଠାନକୁ ପ୍ରତିଷ୍ଠା କରିଛନ୍ତି। ଏବେ ଏହି ଅନୁଷ୍ଠାନରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କର ନାମ ଲେଖାଇବା ପାଇଁ ଜୋରସୋରରେ ପ୍ରସାୟ ଚାଲିବା ସହ ବିଜ୍ଞାପନ ମଧ୍ୟ କରାଯାଉଛି। ଏ ପରିସ୍ଥିତିରେ ୟୁଜିସିର ସଚିବ ରଜନୀଶ ଜୈନ୍‌ଙ୍କ ସ୍ୱାକ୍ଷରରେ ଜାରି ସତର୍କ ସୂଚନାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସତର୍କ କରାଇ ଦିଆଯିବା ସହ ପିଓଜେକେରେ ଥିବା ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କ ପାଖରେ ୟୁଜିସି ଉତ୍ତରଦାୟୀ ରହିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର