ଓ୍ଵାସିଂଟନ : ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି । ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତୀ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଛନ୍ତି । ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୯ରେ ଏୟାର ଇଣ୍ଡିଆ ବିମାନ ଅପହରଣ ପରେ ବନ୍ଧକ ରଖାଯାଇଥିବା ଯାତ୍ରୀମାନଙ୍କ ବଦଳରେ ଭାରତ ସରକାର ଜାମ୍ମୁ ଜେଲରେ ଥିବା ଆଝାରକୁ ଛାଡିଥିଲେ । ଏହା ପରେ ସେ ଜୈଶ ସଂଗଠନ ଗଠନ କରି ୨୦୦୧ ଭାରତ ର ସଂସଦ ଉପରେ ଆକ୍ରମଣ କରିଥିଲା । ଏହାର ପରବର୍ତ୍ତି ବର୍ଷରେ ଜାମ୍ମୁ ଓ କାଶ୍ମୀର ଓ ଭାରତର ଅନ୍ୟସ୍ଥାନରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶର ହାତ ଥିଲା । ଗତ ଫେବ୍ରୁଆରୀ ମାସରେ ଭାରତରେ ହୋଇଥିବା ପୁଲଓ୍ଵାମା ଆକ୍ରମଣ ପଛରେ ବି ଏହି ସଂଗଠନର ହାତ ଥିଲା ।
ଗତ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଲାଗିଥିଲା । କିନ୍ତୁ ପ୍ରତିଥର ଚୀନର ବିରୋଧ ଯୋଗୁଁ ଏହା ହୋଇପାରୁନଥିଲା ।