ବିଜ୍ଞାନକୁ ନେଇ ଅବାସ୍ତବ ଯୁକ୍ତି, ସର୍ଜରୀଠାରୁ ଇଣ୍ଟରନେଟ୍‌ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ବିଜ୍ଞାନକୁ ନେଇ ବିଜେପି ନେତାଙ୍କ ଅବାସ୍ତବ ଯୁକ୍ତି ନିୟମିତ ବ୍ୟବଧାନରେ ଚର୍ଚ୍ଚାକୁ ଆସୁଛି। ମହାଭାରତ ସମୟରେ ଅର୍ଥାତ ତ୍ରେତୟା ଯୁଗରେ ବି ଇଣ୍ଟରନେଟର ବ୍ୟବହାର କରାଯାଉଥିଲା, ସେତେବେଳେ ବି ଉପଗ୍ରହ ଥିଲା ବୋଲି ନିକଟରେ ଏକ ସଭାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଯୁକ୍ତି ବାଢିବା ପରେ ଏହାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି। ପ୍ରବଳ ସମାଲୋଚନା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ଯୁକ୍ତିକୁ ସଠିକ୍‌ ଦର୍ଶାଇ ଏହାକୁ ବିରୋଧ କରୁଥିବା ଲୋକଙ୍କ ମନରେ ରାଷ୍ଟ୍ରବାଦର ଅଭାବ ରହିଥିବା କହିଛନ୍ତି। ତେବେ ଆଧୁନିକ ବିଜ୍ଞାନକୁ ଗ୍ରହଣ କରିବା ବଦଳରେ ବିଜେପି ନେତାମାନେ ପ୍ରାଚୀନ ଭାରତର କଥାବସ୍ତୁ ଭିତରେ ସୀମିତ ରହି ମନ୍ତବ୍ୟ ଦେବା ବିସ୍ମୟ ସୃଷ୍ଟି କରିଛି । ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ପ୍ରଚୀନ ଭାରତରେ ମଧ୍ୟ ପ୍ଲାଷ୍ଟିକ୍‌ ସର୍ଜରୀ ହୋଇପାରୁଥିଲା। ସେତେବେଳେ ବି ପ୍ଲାଷ୍ଟିକ୍‌ ସର୍ଜରୀ ଯୋଗେ ଗଣେଶଙ୍କ ଶରୀରରେ ହାତୀ ମୁଣ୍ଡକୁ ଲଗା ଯାଇଥିଲା। ମୋଦିଙ୍କ ଏହି ବୟାନକୁ ଦେଶ ବିଦେଶରେ ବୈଜ୍ଞାନିକମାନେ ନାପସନ୍ଦ କରିଥିଲେ। କେନ୍ଦ୍ର ମାନବ ସମ୍ବଳ ବିକାଶ ରାଜ୍ୟମନ୍ତ୍ରୀ ସତ୍ୟପାଲ ସିଂହ ନିକଟରେ କହିଥିଲେ ଯେ, ଡାର୍‌ଓ୍ଵିନଙ୍କ ମତ ସମ୍ପୂର୍ଣ୍ଣ ଭୁଲ। କାରଣ ମାଙ୍କଡ ମଣିଷ ପାଲଟିବା କେହି ଦେଖି ନାହାନ୍ତି। ତେଣୁ ଆମର ପୂର୍ବଜ ମାଙ୍କଡ଼ ବୋଲି ଆମେ ଯୁକ୍ତି କରି ପାରିବା ନାହିଁ ବୋଲି ସତ୍ୟପାଲ କହିଥିଲେ। ଏଭଳି ମନ୍ତବ୍ୟ ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା ଏବଂ ମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଅନେକ ସମାଲୋଚନା ହୋଇଥିଲା। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ କହିଥିଲେ ଯେ, ଲକ୍ଷାଧିକ ବର୍ଷ ତଳେ ଭାରତ ପରମାଣୁ ପରୀକ୍ଷଣ କରିଥିଲା। ଭାରତୀୟ ସନ୍ନ୍ୟାସୀ ଏହି ପରୀକ୍ଷଣ କରିଥିଲେ ବୋଲି ସେ ଅବାସ୍ତବ ଯୁକ୍ତି ବାଢିଥିଲେ। ନିକଟରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ପୂର୍ବଜନ୍ମର ପାପରୁ ଲୋକଙ୍କୁ କ୍ୟାନ୍‌ସର ହେଉଛି। ଶର୍ମାଙ୍କର ଏହି ମନ୍ତବ୍ୟ ଅନେକ ବିବାଦ ସୃଷ୍ଟି କରିଥିଲା ଏବଂ ଏ ବାବଦରେ ରାଜ୍ୟ ସରକାରଙ୍କୁ ସଫେଇ ଦେବାକୁ ପଡ଼ିଥିଲା। ରାଜସ୍ଥାନ ଶିକ୍ଷାମନ୍ତ୍ରୀ ବାସୁଦେବ ଦେବନାନୀ କହିଥିଲେ ଯେ, ଆଇଜାକ୍‌ ନିଉଟନ୍‌ ମାଧ୍ୟାକର୍ଷଣ ନିୟମର ଆବିଷ୍କାର କରିନଥିଲେ। ପ୍ରାଚୀନ ଭାରତରେ ମୁନିଋଷିମାନେ ଏହି ଶକ୍ତିର ନିୟମ ନିରୂପଣ କରିଥିଲେ।

ସମ୍ବନ୍ଧିତ ଖବର