କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍ ନବମ ସପ୍ତାହରେ ଗତି କରୁଥିବା ବେଳେ କୋଟିକୋଟି ନାଗରିକ ଘରେ ଗୋଡ଼ହାତ ବାନ୍ଧି ରହିଲା ଭଳି ଅନୁଭବ କରୁଛନ୍ତି। ମନରେ ଅହେତୁକ ଅବସନ୍ନତା, ଉତ୍କଣ୍ଠା ଆଦି ବଡ଼ିବା ସହ ନିଦ୍ରା ବିଶୃଙ୍ଖଳା ବି ପ୍ରମୁଖ ଅସ୍ବାଭାବିକତା ଭାବେ ଉଭା ହୋଇଛି। ସରସତା ଆଣିବା ଲାଗି ରାତି ଅନିଦ୍ରା ରହି ଦୀର୍ଘକାୟ ଟେଲି ଧାରାବାହିକଗୁଡି଼କୁ ଏକାଦିକ୍ରମେ ଉପଭୋଗ କରିବା, ଅସୀମ ଅନ୍ଲାଇନ୍ ଗେମ୍ ଖେଳିବା ଏବଂ ଭିଡିଓ ଚାଟିଂ ଭଳି ବିକୃତ ଅଭ୍ୟାସ ଆପଣାଇବା ଯୋଗୁଁ ଆମମାନଙ୍କର ପ୍ରାକୃତିକ ନିଦ୍ରାଚକ୍ରରେ ଘୋର ବିଭ୍ରାଟ ଦେଖାଦେଇଥିବା ଜଣାଯାଇଛି।

ଏ ଅବସରରେ ନିଦ୍ରା ବିଶୃଙ୍ଖଳା ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପରାମର୍ଶ କରିବା ମଧ୍ୟ କଳ୍ପନାତୀତ ଭାବେ ବଡ଼ିଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡି଼ଛି। ଲୋକେ ନାନା ଅନିଶ୍ଚିତତା ଓ ନିରାପତ୍ତାବିହୀନ ଭାବେ କାଳ କାଟୁଛନ୍ତି। ନିଜର ସ୍ବାସ୍ଥ୍ୟ, ରୋଜଗାର ଓ ଆର୍ଥିକ ସୁରକ୍ଷା ନେଇ ବ୍ୟସ୍ତ ବିବ୍ରତ ହୋଇପଡି଼ବା ସହ ସ୍ଥଳ ବିଶେଷରେ ଘରେ ବସି ଧାର୍ଯ୍ୟ କାର୍ଯ୍ୟ କରିବା ଏବଂ ସେହି ସମୟରେ ପରିବାରର ଭଲମନ୍ଦ ବୁଝିବା ଆଦି ଘଟଣା ନିଦ୍ରା ବିଶୃଙ୍ଖଳାକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ପାନ୍ଇଣ୍ଡିଆ ସର୍ଭେ ଅନୁଯାୟୀ, ୧୫୦୦ ଜବାବଦାତାଙ୍କ ମଧ୍ୟରୁ ୪୪ ପ୍ରତିଶତ ହିଁ ଏହି ଲକ୍‌ଡାଉନ୍ ବେଳେ ଦୈନିକ ୬ ଘଣ୍ଟାରୁ କମ୍ ଶୋଇପାରିଛନ୍ତି। ଅନେକ ମଧ୍ୟ ସମ୍ପୂର୍ଣ୍ଣ ନିଦ୍ରାହୀନତା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏପରିି ହେବାର କାରଣ ଆମ ଶରୀର ଓ ନିଦ୍ରା ଭିତରେ ରହିଥିବା ସଂଯୋଗର ଅଭାବ ବୋଲି ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକୃତି ପୋଦ୍ଦାର କହିଛନ୍ତି। ଅତ୍ୟନ୍ତ ଦୁଶ୍ଚିନ୍ତା ଓ ବ୍ୟସ୍ତ ବିବ୍ରତତା ହିଁ ନିଦ୍ରାଚକ୍ରରେ ଏଭଳି ନକାରାତ୍ମକ ପ୍ରଭାବ ପକାଇଥାଏ । ଏହାର ଦୀର୍ଘକାଳୀନ ପ୍ରଭାବ ସ୍ବରୂପ ପଡ଼ାପଡ଼ିରେ ମନ ନଲାଗିବା ଓ ମନେ ନରହିବା ଆଦି ଅସ୍ବାଭାବିକତା ଘଟିଥାଏ। ତେବେ ଏଥିରୁ ମୁକୁଳିବା ପାଇଁ ଦିନକୁ ୭ରୁ ୯ ଘଣ୍ଟା ନିଦର ଆବଶ୍ୟକତା ରହିଛି। ଅପରପକ୍ଷେ, ମନ ଓ ଶରୀରକୁ ଶାନ୍ତ ରଖିବା ପାଇଁ କିଛି ଶାରୀରିକ ବ୍ୟାୟାମ, ଯୋଗ ଏବଂ ସଂଗୀତ ଉପଭୋଗ କରିବାକୁ ବିଶେଷଜ୍ଞମାନେ ପରାମର୍ଶ କରୁଛନ୍ତି।

ସମ୍ବନ୍ଧିତ ଖବର