ହୁବ୍‌ଲୀ ରେଳ ଷ୍ଟେସନରେ ଦାବୀଦାର ବିହୀନ ପାର୍ଶଲରେ ବିସ୍ଫୋରଣ; ୧ ଆହତ

ବେଙ୍ଗାଲୁରୁ: ଉତ୍ତର କର୍ଣ୍ଣାଟକର ହୁବ୍‌ଲୀ ରେଳ ଷ୍ଟେସନରେ ଆଜି ଅପରାହ୍ଣରେ ଦାବୀଦାର ବିହୀନ ଏକ ଲାଓ୍ଵାରିସ୍‌ ପାର୍ଶଲରେ ବଡ଼ ଧରଣର ବିସ୍ଫୋରଣ ଘଟିବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ, ହୁବ୍‌ଲୀ ରେଳ ଷ୍ଟେସନଟି ହେଉଛି ଦକ୍ଷିଣ ପଶ୍ଚିମ ରେଲେଓ୍ଵ ଜୋନ୍‌ର ଏକ ବଡ଼ ଜଙ୍କସନ୍‌।

India Today

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବିଜୟଓ୍ଵାଡ଼ା- ଅମରାବତୀ ଟ୍ରେନ୍‌ଟି ହୁବ୍‌ଲୀ ରେଳ ଷ୍ଟେସନରେ ଥିବାବେଳେ ଟ୍ରେନ୍‌ର ଏକ ଅଣ ସଂରକ୍ଷିତ ବଗିରେ ଥିବା ଏହି ଦାବୀଦାର ବିହୀନ ଲାଓ୍ଵାରିସ୍‌ ପାର୍ଶଲଟିକୁ ରେଳବାଇର ଜନୈକ କୁଲି ଠାବ କରିଥିଲେ। ପରେ ସଂପୃକ୍ତ ପାର୍ଶଲଟିକୁ ସେ ଟ୍ରେନ୍‌ରୁ ତଳକୁ ଆଣି ପ୍ଲାଟଫର୍ମର ଗୋଟିଏ କଡ଼କୁ ନେଇ ଏହାକୁ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଏଥିରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ସଂପୃକ୍ତ କୁଲି ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଷ୍ଟେସନ୍‌ ପ୍ଲାଟଫର୍ମର କିଛି କାଚ ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ରେଳବାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଦେବା ସହ ବିସ୍ଫୋରଣରେ ଆହତ କୁଲି ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣା ପରେ ରେଲେଓ୍ଵ ପୁଲିସ୍‌ ପକ୍ଷରୁ ବୋମା ସନ୍ଧାନୀ କୁକୁର ସାହାଯ୍ୟରେ ଏବେ ହୁବ୍‌ଲୀ ରେଳ ଷ୍ଟେସନର ସମଗ୍ର ପରିସରକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର