ସିନ୍ଧୁନଦୀ ବିବାଦ : ଭାରତର ବଡ଼ ବିଜୟ, ବିଶ୍ୱବ୍ୟାଙ୍କରୁ ନିଜର ଅଭିଯୋଗ ଫେରାଇ ନେବ ପାକିସ୍ତାନ

ନୂଆଦିଲ୍ଲୀ : ସିନ୍ଧୁନଦୀ ଜଳବଣ୍ଟନକୁ ନେଇ ଭାରତ ବିରୋଧରେ ବିଶ୍ୱ ବ୍ୟାଙ୍କରେ ଅଭିଯୋଗ କରିଥିବା ପାକିସ୍ତାନକୁ ବିଫଳତାର ସାମନା କରିବାକୁ ପଡିଛି ।  ଏହି ଜଳବିବାଦକୁ  ବିଶ୍ୱ ବ୍ୟାଙ୍କର କୋର୍ଟ ଅଫ  ଆର୍ବିଟ୍ରେସନ ରେ ବିଚାର ପାଇଁ ପଠାଇବାକୁ ପାକିସ୍ତାନ ଦାବି କରୁଥିବାବେଳେ ବିଶ୍ୱ ବ୍ୟାଙ୍କ ତାହାକୁ ମାନିନାହିଁ । ବରଂ ଏହି ମାମଲାକୁ ଏକ ନିରପେକ୍ଷ  ଆଇନ ବିଶେଷଜ୍ଞଙ୍କ  ଦ୍ୱାରା ଫଇସଲା କରିବାକୁ ବିଶ୍ୱ ବ୍ୟାଙ୍କ ପରାମର୍ଶ ଦେଇଛି । କିନ୍ତୁ ଗତ ଥର ୨୦୧୧ରେ ବାଗଲିଆର ଡ୍ୟାମ ବିବାଦକୁ ନେଇ ପାକିସ୍ତାନ ଜଣେ  ନିରପେକ୍ଷ  ଆଇନ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲା, କିନ୍ତୁ  ରାୟ ଭାରତ ସପକ୍ଷରେ ଆସିଥିଲା । ଏହା ଫଳରେ ପାକିସ୍ତାନ ବିଫଳ ମନୋରଥରେ ବିଶ୍ୱବ୍ୟାଙ୍କରୁ ଫେରିବାରୁ ନିଷ୍ପତ୍ତି ନେଇଛି ବୋଲି ପାକିସ୍ତାନି ଗଣମାଧ୍ୟମ ଦ ନ୍ୟୁଜ କହିଛି ।

ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ ।  ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି । କିନ୍ତୁ ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ଏହି ଚୁକ୍ତିକୁ ମାନୁନାହିଁ । ଏହି ଚୁକ୍ତିକୁ ନ ମାନି ଭାରତ ନଦୀବନ୍ଧ ନିର୍ମାଣ କରୁଛି ବୋଲି ପାକ କହିଛି ।

ସମ୍ବନ୍ଧିତ ଖବର