ବିରୋଧ ପରେ ବଦଳିପାରେ ରାଜ୍ୟସଭା ମାର୍ଶାଲଙ୍କ ପୋଷାକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଗତକାଲିଠାରୁ ଆରମ୍ଭ ହୋଇଛି | ପ୍ରଥମ ଦିନ ଧଳା ପୋଷାକ ପିନ୍ଧୁଥିବା ମାର୍ଶାଲ ସେନା ଅଧିକାରୀଙ୍କ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ପୂର୍ବରୁ ଧଳା ରଙ୍ଗର ଥିବା ୟୁନିଫର୍ମର ରଙ୍ଗ ଅଲିଭ ଗ୍ରୀନ ହୋଇଯାଇଥିଲା | ଏହା ସହ ପଗଡି ବଦଳରେ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଥିଲା | ଯାହାକୁ ବହୁତ ଲୋକ ନାପସନ୍ଦ କରିଥିଲେ | ସୋସିଆଲ ମିଡିଆରେ ଏହାକୁ ନେଇ ଆଲୋଚନା ପରେ ବଡ ବଡ ନେତାମାନେ ମଧ୍ୟ ଏଭଳି ୟୁନିଫର୍ମକୁ ବିରୋଧ କରିଥିଲେ |

ଏହାକୁ ନେଇ ଆଜି ଗୃହରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପୋଷାକ ବଦଳାଯିବା କଥା ନେଇ ଚିନ୍ତା କରିବେ ବୋଲି କହିଛନ୍ତି | ଭେଙ୍କେୟା କହିଛନ୍ତି ଯେ ରାଜ୍ୟସଭା ସଚିବାଳୟ ମାର୍ଶାଲଙ୍କ ପୋଷାକକୁ ନେଇ ପୁଣି ବିଚାର କରିବ | ଏହି ନୂଆ ୟୁନିଫର୍ମକୁ ନେଇ ଅନେକ ଲୋକ ବିରୋଧ କରୁଥିବାରୁ ରାଜ୍ୟସଭା ସଚିବାଳୟ ଏହି ପୋଷାକର ଡିଜାଇନ ପରିବର୍ତ୍ତନ ବାବଦରେ ବିଚାର କରିବାକୁ ସେ କହିବେ |

କଂଗ୍ରେସ ସାଂସଦ ଜୟରାମ ରମେଶ ଏହାକୁ ନେଇ ତୀବ୍ର ବିରୋଧ କରିଥିଲେ ସେ କହିଥିଲେ ଯେ ଏହି ୟୂନିଫରମକୁ ଦେଖି ଲାଗୁଚି ଯେ ରାଜ୍ୟସଭାରେ ମାର୍ଶାଲ ନିୟମ ଲାଗୁ କରାଯାଇଛି | ଏଠାରେ ସୂଚନା ଥାଉ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଗୃହରେ ପ୍ରବେଶ କରିଥିଲେ ସେତେବେଳେ ତାଙ୍କ ସହ ଆସିଥିବା ମାର୍ଶାଲମାନେ ଭିନ୍ନ ପୋଷାକ ପରିଧାନ କରିଥିଲେ | ଏହା ସେନା ଅଧିକାରୀଙ୍କ ପୋଷାକ ଭଳି ହୋଇଥିବାରୁ କିଛି ସଦସ୍ୟ ଆଶ୍ଚର୍ଯ୍ୟ ହେବା ସହ ବିରୋଧ ମଧ୍ୟ କରିଛନ୍ତି |

ସମ୍ବନ୍ଧିତ ଖବର