ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ : ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପରାମର୍ଶ ଦେଲେ କେନ୍ଦ୍ର ଆଇନମନ୍ତ୍ରୀ

ନୂଆଦିଲ୍ଲୀ : ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ  ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରବିଶଙ୍କର ।

ସେ କହିଛନ୍ତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଅଧିକାର ଭୁକ୍ତ ପ୍ରସଙ୍ଗ । ଏହା ସହିତ କେଉଁଠି ବେଞ୍ଚ ସ୍ଥାପନ ହେବ ତାହା ଚୂଡାନ୍ତ କରି ତଥ୍ୟ ଦେଲେ କେନ୍ଦ୍ର ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ରବିଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏହି ଅଂଚଳର ଲୋକଙ୍କ ଦାବିରେ ଯଥାର୍ଥତା ଦର୍ଶାଇ ତୁରନ୍ତ ପଦକ୍ଷେପ ନେବାକୁ ଦୁଇ ଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ ।

ଏଥିସହ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ଅସନ୍ତୋଷ ବଢ଼ୁଥିବାରୁ ପ୍ରଶାସନିକ ଓ ବିଚାରବିଭାଗୀୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଚିଠିରେ ଦର୍ଶାଇଥିଲେ ନବୀନ ।

ସମ୍ବନ୍ଧିତ ଖବର