କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ବେଙ୍ଗାଲୁରୁ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାରଙ୍କର ଆଜି ପରଲୋକ ହୋଇଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। କିଛିମାସ ଧରି ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିଲେ। ବେଙ୍ଗାଲୁରୁର ଶ୍ରୀ ଶଙ୍କର ହସ୍ପିଟାଲ୍‌ରେ ଗତରାତି ୨ଟାରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ତେଜସ୍ବିନୀ ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ଅନନ୍ତ କୁମାରଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। କର୍ଣ୍ଣାଟକ ସରକାର ଗୋଟିଏ ଦିନ ଛୁଟି ଏବଂ ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

ଆମେରିକା ଓ ବ୍ରିଟେନ୍‌ରେ ଚିକିତ୍ସିତ ହେବା ପରେ ମନ୍ତ୍ରୀ କୁମାର ନିକଟରେ ବେଙ୍ଗାଲୁରୁ ଫେରିଥିଲେ। ଏହାପରେ ସ୍ବାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନ୍‌ସର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଫୁସ୍‌ଫୁସ୍‌ କର୍କଟ ଏବଂ ସଂକ୍ରମଣ ଯୋଗୁ ତାଙ୍କର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ ଅଚଳପ୍ରାୟ ହୋଇଯାଇଥିଲା। ଶେଷରେ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଥିଲା। କିନ୍ତୁ ଡାକ୍ତରଙ୍କ ଶତଚେଷ୍ଟା ପରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ତାଙ୍କ ମରଶରୀରକୁ ବେଙ୍ଗାଲୁରୁର ବାସଭନାଗୁଡ଼ିସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା।

କୁମାରଙ୍କ ଅକାଳ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ବିଜେପି ଅଧକ୍ଷ୍ୟ ଅମିତ୍‌ ଶାହ, କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ ପ୍ରମୁଖ କୁମାରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।

୧୯୫୯ ଜୁଲାଇ ୨୨ରେ ଜନ୍ମଲାଭ କରିଥିବା ମନ୍ତ୍ରୀ ଅନନ୍ତ କୁମାର ୧୯୯୬ରେ ମାତ୍ର ୩୭ ବର୍ଷ ବୟସରେ ଦକ୍ଷିଣ ବେଙ୍ଗାଲୁରୁ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ଲଗାତର ୬ ଥର ସାଂସଦ ରହି ନିଜ ନିର୍ବାଚନମଣ୍ଡଳୀରେ ଅପ୍ରତିଦ୍ବନ୍ଦ୍ବୀ ନେତା ପାଲଟିଥିଲେ।

ସମ୍ବନ୍ଧିତ ଖବର