ପରୀକ୍ଷା ମୂଳକ ଉଡ଼ାଣ କରୁଥିବା ବେଳେ ଡିଆରଡିଓର ମାନବ ବିହୀନ ଉଡ଼ନ୍ତା ଯାନ ‘ରୁସ୍ତମ-୨’ ଜନବସତି ନିକଟରେ ଖସି ପଡ଼ିଲା

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ନିର୍ମିତ ଏକ ମାନବ ବିହୀନ ଉଡ଼ନ୍ତା ଯାନ (ୟୁଏଭି) ପରୀକ୍ଷାମୂଳକ ଉଡ଼ାଣ ଭରିଥିବା ବେଳେ ଗତ ମଙ୍ଗଳବାର ବିଳମ୍ବିତ ଅପରାହ୍ଣରେ ନିୟନ୍ତ୍ରଣ ହରାଇ ବେଙ୍ଗାଲୁରୁ ନିକଟସ୍ଥ ଚିତ୍ରଦୁର୍ଗା ଜିଲ୍ଲାର ଏକ ଜନବସତି ନିକଟରେ ଖସିପଡ଼ିଛି। ତେବେ, ସୌଭାଗ୍ୟକୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଡିଆରଡିଓ ଦ୍ୱାରା ନିର୍ମିତ ଓ ବିକଶିତ ହୋଇଥିବା ‘ରୁସ୍ତମ-୨’ ନାମକ ଏକ ମାନବ ବିହୀନ ଉଡ଼ନ୍ତା ଯାନ (ୟୁଏଭି)ର ପରୀକ୍ଷାମୂଳକ ଉଡ଼ାଣ ଚାଲିଥିବା ବେଳେ ଯାନଟି ଚିତ୍ରଦୁର୍ଗା ଜିଲ୍ଲାର ଯୋଡ଼ି ଚିଲେନାହାଲି ଗ୍ରାମ ନିକଟରେ ପ୍ରଚଣ୍ଡ ଶବ୍ଦ କରି ଖସି ପଡ଼ିଥିଲା। ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଯୋଡ଼ି ଚିଲେନାହାଲି ଗ୍ରାମବାସୀମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ, ଏହି ଯାନଟି ଏକ ଜନବସତି ଅଞ୍ଚଳରେ ପଡ଼ିଥିଲେ ମଧ୍ୟ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଗଣମାଧ୍ୟମକୁ କହିଛନ୍ତି ଚିତ୍ରଦୁର୍ଗା ଜିଲ୍ଲା ଏସ୍‌ପି ଅରୁଣ କେ।

Bengaluru Times

ଅନ୍ୟପକ୍ଷରେ ଡିଆରଡିଓ ପକ୍ଷରୁ ଏହି ଦୁର୍ଘଟଣାକୁ ସ୍ୱୀକାର କରାଯିବା ସହ ଦୁର୍ଘଟଣାଗ୍ରସ୍ତ ଯାନର ଡାଟା ରେକର୍ଡର ସଂଗ୍ରହ କରାଯାଇ ଏହା କେଉଁ ପରିସ୍ଥିତିରେ ଓ କାହିଁକି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହେଲା, ତାହାର ଅନୁଧ୍ୟାନ କରାଯାଉଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର