ଉନ୍ନାଓ ପୀଡ଼ିତାଙ୍କ ପାଇଁ ପ୍ରଚଣ୍ଡ କ୍ରୋଧ : ଦିଲ୍ଲୀ, ଲକ୍ଷ୍ନୌରେ ଜୋର୍‌ଦାର ବି‌କ୍ଷୋଭ

ଉନ୍ନାଓରେ ମନ୍ତ୍ରୀ ଓ ସାଂସଦଙ୍କୁ ବିରୋଧ, ଦିଲ୍ଲୀରେ ପୁଲିସ-ବିକ୍ଷେ‌ାଭକାରୀ ମୁହାଁମୁହିଁ

ନୂଆଦିଲ୍ଲୀ : ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାକୁ ନେଇ ଦେଶବ୍ୟାପୀ କ୍ରୋଧ ଏବଂ ଅସନ୍ତୋଷ ଦେଖିବାକୁ ମିଳିଛି। ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ହାଇଦ୍ରାବାଦ ଭଳି ଉନ୍ନାଓ ଅଭିଯୁକ୍ତମାନଙ୍କୁ ମଧ୍ୟ ଏନ୍‌କାଉଣ୍ଟର କରି ମାରି ଦିଆଯାଉ ବୋଲି ଦାବି ହୋଇଛି। ରାଜ୍ୟ ସରକାରଙ୍କର ଦୁଇ ଜଣ ମନ୍ତ୍ରୀ ଏବଂ ଜଣେ ବିଜେପି ସାଂସଦ ଆଜି ଉନ୍ନାଓ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କର ବିରୋଧ କରିବା ସହିତ ଧସ୍ତାଧସ୍ତି କରିଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି।

ଉନ୍ନାଓ ପୀଡ଼ିତା ୪୦ ଘଣ୍ଟାର ସଂଘର୍ଷ ପରେ ଗତ ରାତି ୧୧ଟା ୪୦ରେ ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲରେ ଆଖି ବୁଜି ଦେଇଥିଲେ। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ରାଜଘାଟରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ କ୍ୟାଣ୍ଡଲ୍‌ ଶୋଭାଯାତ୍ରା ବାହାରିଥିଲା। ଦିଲ୍ଲୀରେ ବିକ୍ଷୋଭକାରୀମାନେ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାରୁ ପୁଲିସ ପାଣି ମାଡ଼ କରିଥିଲା। ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ କେତେକ ଯୁବତୀ ଏଥିରେ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।

ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ମାୟାବତୀ ଏବେ ଯୋଗୀ ସରକାରଙ୍କୁ ଘେରିଛନ୍ତି। ଅଖିଳେଶ ଯାଦବ ଆଜି ରାଜ୍ୟ ବିଧାନସଭା ବାହାରେ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜ୍ୟ ଗୃହ ସଚିବ ଏବଂ ଡିଜିପି ଇସ୍ତଫା ଦେଇନାହାନ୍ତି ସେପର୍ଯ୍ୟନ୍ତ ନ୍ୟାୟ ମିଳିବ ନାହିଁ ବୋଲି ସେ କହିଛନ୍ତି। ଆଜି କଂଗ୍ରେସ କର୍ମୀମାନେ ବିଜେପି ସରକାର ବିରୋଧରେ ଲକ୍ଷ୍ନୌରେ ଆନ୍ଦୋଳନ କରିବା ବେଳେ ଏହା ଉଗ୍ର ରୂପ ନେବାରୁ ପୁଲିସ ଲାଠି ମାଡ଼ କରିଥିଲା। ବିଧାନସଭା ବାହାରେ ହିଁ କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ ଲାଠିମାଡ଼ କରିଥିଲା।

ଇତିମଧ୍ୟରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଏକ ପତ୍ର ଲେଖି ରାଜ୍ୟରେ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କହିଛନ୍ତି। ଏମିତି କୌଣସି ଦିନ ନାହିଁ ଯେଉଁଦିନ ମହିଳାଙ୍କ ବିରୋଧରେ ଅପରାଧ ହେଉନାହିଁ। ଉତ୍ତରପ୍ରଦେଶ ରାଜ୍ୟପାଳ ଜଣେ ମହିଳା। ସେ ଅନ୍ୟ ମହିଳାଙ୍କ ଯନ୍ତ୍ରଣାକୁ ଭଲରେ ବୁଝିପାରିବେ। ଉତ୍ତରପ୍ରଦେଶ ସରକାର ଏଥିପାଇଁ ଚିନ୍ତିତ ଥିବାଭଳି ଲାଗୁ ନାହିଁ। ତେଣୁ ରାଜ୍ୟପାଳ ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରି ତାଙ୍କର ସାମ୍ବିଧାନିକ କ୍ଷମତାର ବ୍ୟବହାର କରିବା ଉଚିତ୍‌ ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧିତ ଖବର