ନାଇଟ୍‌ କ୍ଲବ୍‌ ଉଦ୍‌ଘାଟନ କରି ଅଡ଼ୁଆରେ ଉନ୍ନାଓ ସାଂସଦ

ଲକ୍ଷ୍ନୌ : ଗୋଟିଏ ପଟେ ଉନ୍ନାଓ ଗଣଦୁଷ୍କର୍ମ ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ସେହି ଉନ୍ନାଓ ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ସାକ୍ଷୀ ମହାରାଜ ଏକ ନାଇଟ୍‌କ୍ଲବ୍‌ର ଉଦ୍‌ଘାଟନ କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ନାରୀଙ୍କ ସୁରକ୍ଷା କଥା କହି ଡିଣ୍ଡିମ ପିଟୁଥିବା ବିଜେପି ସରକାର ନାରୀ ସୁରକ୍ଷା ପରିବର୍ତ୍ତେ ବାର୍‌, ନାଇଟକ୍ଲବ ଉଦ୍ଘାଟନ କରି ଅପରାଧ ଓ ଅରାଜକତାକୁ ପ୍ରଶ୍ରୟ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ବିଜେପି ବିଧାୟକ ମୁଖ୍ୟ ଅଭିଯୁକ୍ତ ହୋଇଥିବାରୁ ଯୋଗୀ ସରକାର କଡ଼ା ସମାଲୋଚନାର ଶିକାର ହୋଇଥିବାବେଳେ ଏହି ସମୟରେ ଆଉ ଜଣେ ଦଳୀୟ ସାଂସଦ ଏକ ନାଇଟ୍‌ କ୍ଲବ୍‌ର ଉଦ୍‌ଘାଟନ କରିବା ଘଟଣା ବିଜେପିର ଅଡ଼ୁଆ ବଢେଇ ଦେଇଛି। ସୂଚନାନୁଯାୟୀ ଗତକାଲି ଲକ୍ଷ୍ନୌସ୍ଥିତ ଆଲିଗଞ୍ଜ୍‌ ଅଞ୍ଚଳରେ ବିଜେପି ସାଂସଦ ଏହି ନାଇଟ୍‌ କ୍ଲବ୍‌ ଉଦ୍‌ଘାଟନ କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ସାକ୍ଷୀ ମହାରାଜ ସଫେଇ ଦେଇ କହିଛନ୍ତି ଯେ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି। ଜଣେ ଦଳୀୟ କର୍ମକର୍ତ୍ତା ତାଙ୍କୁ ଏକ ରେସ୍ତୋରାଁ ଉଦ୍‌ଘାଟନ ପାଇଁ କହି ନାଇଟ୍‌ କ୍ଲବ୍‌ ଉଦ୍‌ଘାଟନ କରିବାକୁ ଡାକି ନେଇଥିଲେ ବୋଲି ସେ କହିଛନ୍ତି। ଏନେଇ ମଧ୍ୟ ସେ ରାଜ୍ୟ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ସ୍ପଷ୍ଟୀକରରଣ ଦେଇଛନ୍ତି।

ସମ୍ବନ୍ଧିତ ଖବର