ଉନ୍ନାଓ ପୀଡ଼ିତାଙ୍କ ୪୦ଘଣ୍ଟାର ସଂଘର୍ଷ, ଡାକ୍ତରମାନେ ବି ଲୁହ ରୋକି ପାରିଲେନି

ଶେଷ କଥା ଥିଲା-ବଞ୍ଚିବାକୁ ଚା‌ହେ, ଅଭିଯୁକ୍ତଙ୍କୁ ଫାଶୀ

ଲକ୍ଷ୍ନୌ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଗତରାତି ୧୧.୪୦ରେ ଆଖି ବୁଜି ଦେଇଥିଲେ। ଦିଲ୍ଲୀର ସଫ୍‌ଦରଜଙ୍ଗ ହସ୍ପିଟାଲ୍‌ ମୁଖପାତ୍ରଙ୍କ କହିବା ଅନୁଯାୟୀ ପୀଡ଼ିତା ଅସୀମ ଧୈର୍ଯ୍ୟର ସହ ଯନ୍ତ୍ରଣାର ମୁକାବିଲା କରୁଥିଲେ ଏବଂ ରାତି ୧୧ଟା ୪୦ରେ ହୃଦ୍‌ଘାତର ଶିକାର ହୋଇଥିଲେ। ପୀଡ଼ିତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲେ ମଧ୍ୟ ତାଙ୍କର ବଞ୍ଚିବାକୁ ପ୍ରବଳ ଇଚ୍ଛା ଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିଲେ। ପୀଡ଼ିତାଙ୍କ ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ କାନ୍ଦି ପକାଇଥିଲେ।

ଗତକାଲି ପୀଡ଼ିତା ତାଙ୍କ ଭାଇଙ୍କୁ କହିଥିଲେ, ମୋତେ ବଞ୍ଚାଅ, ମୁଁ ମରିବାକୁ ଚା‌ହେନା। କିନ୍ତୁ ମୋତେ ପ୍ରତିଶ୍ରୁତି ଦିଅ, ‌ମୋ ଅବସ୍ଥା ପାଇଁ ଯେଉଁମାନେ ଦାୟୀ ସେମାନେ ଯେମିତି ଛାଡ଼ ନ ପାଆନ୍ତି। ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଉ ବୋଲି ପୀଡ଼ିତା କହିଥିଲେ। ପୀଡ଼ିତାଙ୍କ ଭାଇ ମଧ୍ୟ ତାଙ୍କର ଏହି ଇଛା ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ୨୩ ବର୍ଷୀୟା ପୀଡ଼ିତା ତାଙ୍କ ବାସଭବନରୁ ରାଏବରେଲିରେ ଆଇନଜୀବୀଙ୍କୁ ଭେଟିବାକୁ ଯିବା ବାଟରେ ତାଙ୍କୁ ୫ ଜଣ ଆକ୍ରମଣ କରିଥିଲେ। ତାଙ୍କୁ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କ ସମେତ ସମୁଦାୟ ୫ ଜଣ ପୀଡ଼ିତାଙ୍କୁ ଛଡ଼ରେ ମାରିବା ସହ ବାରମ୍ବାର ଛୁରାଘାତ କରିଥିଲେ। ପରେ ସେମାନେ ପୀଡ଼ିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଏହାପରେ ତାଙ୍କୁ ଡିସେମ୍ବର ୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ୍‌ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ।

ସମ୍ବନ୍ଧିତ ଖବର