ଜାତିସଂଘ ଆତଙ୍କବାଦୀ ତାଲିକାରେ ୧୩୯ ଜଣ ପାକିସ୍ତାନୀ

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦ୍‌ ସଦ୍ୟତମ ଆତଙ୍କବାଦୀ ତାଲିକାରେ ୧୩୯ ଜଣ ପାକିସ୍ତାନୀଙ୍କର ନାଁ ରହିଛି। ସେଥିରୁ ଅଧିକାଂଶ ଲସ୍କର୍‌-ଏ-ତୈବା ଏବଂ ଜୈସ୍‌-ଏ-ମହମ୍ମଦର ବୋଲି ‘ଡନ୍‌’ ଖବରକାଗଜ ପ୍ରକାଶ କରିଛି।

ଚିହ୍ନିତ ହୋଇଥିବା ଏହି ୧୩୯ ଜଣ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ପାକିସ୍ତାନରେ ବାସ କରନ୍ତି କିଂବା ସେଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ କରିଚାଳନା କରନ୍ତି କିଂବା ପାକିସ୍ତାନ ସୀମା ମଧ୍ୟରେ ରହି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିବା ସଙ୍ଗଠନ ସହ ସମ୍ପୃକ୍ତ।

ସେଥିରେ ତାଲିକାଭୁକ୍ତ ହୋଇଛନ୍ତି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହଫିଜ୍‌ ସଇଦ, ଅବ୍‌ଦୁଲ୍‌ ସଲାମ ଏବଂ ଜଫର ଇକ୍‌ବାଲ୍‌। ଏହି ତିନି ଜଣଙ୍କୁ ଇଣ୍ଟର୍‌ପୋଲ୍‌ ଖୋଜୁଛି।

ଲସ୍କର୍‌-ଏ-ତୈବା ଏବଂ ତା’ର ଅନୁବନ୍ଧିତ ସଙ୍ଗଠନ ସମେତ ଅଲ୍‌-ମନ୍‌ସୁରୀୟାନ୍‌, ପାସବନ୍‌-ଇ-କଶ୍ମୀର, ପାସବନ୍‌-ଇ-ଆହ୍ଲେ ହଦିଦ୍‌, ଜମାତ୍‌-ଉଦ୍‌ ଦାଓ୍ଵା ଏବଂ ଫଲାହ୍‌-ଇ-ଇନ୍‌ସାନିୟାତ୍‌ ଫାଉଣ୍ଡେସନ୍‌କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।

ଜାତିସଂଘ ପ୍ରସ୍ତୁତ କରିଥିବା ଆତଙ୍କବାଦୀ ତାଲିକାର ଶୀର୍ଷରେ ରହିଛି ଅଲ୍‌ କାଏଦାର ଐମନ ଅଲ୍‌-ଜଓ୍ଵାହିରି। ସେ ହେଉଛି ଓସାମା ବିନ୍‌ ଲାଡେନ୍‌ର ଦ୍ୱିତୀୟ ବ୍ୟକ୍ତି।

ତାଲିକାର ଦ୍ୱିତୀୟରେ ରହିଛି ରମ୍‌ଜୀ ମହମ୍ମଦ ବିନ୍‌ ଅଲ୍‌-ଶୈବା। ସେ ୟେମେନିର ନାଗରିକ ଏବଂ ତାକୁ କରାଚିରୁ ଗିରଫ କରାଯାଇ ଆମେରିକାକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର