ପାକିସ୍ତାନକୁ ଝଟ୍‌କା! କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଲେ ଜାତିସଂଘ ସୁରକ୍ଷା ପରିଷଦର ୫ରୁ ୪ ସ୍ଥାୟୀ ସଦସ୍ୟ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ଶେଷରେ ତାହା ହିଁ ଘଟିଲା। କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ୫ରୁ ୪ଜଣ ସ୍ଥାୟୀ ସଦସ୍ୟ ଆଜି ଭାରତର କାର୍ଯ୍ୟଧାରାକୁ ସମର୍ଥନ ଜଣାଇଛନ୍ତି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୫ ଜଣ ସ୍ଥାୟୀ ସଦସ୍ୟ ଓ ୧୦ ଜଣ ଅସ୍ଥୟୀ ସଦସ୍ୟଙ୍କୁ ନେଇ ଦୀର୍ଘ ୭୮ ମିନିଟର ରୁଦ୍ଧଦ୍ୱାର ବୈଠକ ମଧ୍ୟରେ ଏପରି ଘଟିଛି। ଏଥିସହ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରସଙ୍ଗ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଥିବା ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ସବୁ ଉଦ୍ୟମ ପାଣି ଫାଟି ଯାଇଛି। ଶେଷ ମୁହୂର୍ତ୍ତରେ, ବୈଠକ ଆରମ୍ଭର ଅବ୍ୟବହିତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଫୋନ୍‌ କରି ଏପ୍ରସଙ୍ଗରେ ଆମେରିକାର ସାହାଯ୍ୟ ଭିକ୍ଷା କରିଥିଲେ ମଧ୍ୟ ଏହା ଫଳପ୍ରଦ ହୋଇପାରି ନାହିଁ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଦାବିକୁ ନେଇ ଚୀନ ସମର୍ଥନ କରିଥିବାବେଳେ ଏହାକୁ ଅନ୍ୟ ରାଷ୍ଟ୍ରମାନେ ସମର୍ଥନ କରିବାର ନାମ ହିଁ ନେଉନାହାଁନ୍ତି।  ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମୋଟ ୧୫ ଜଣ ସଦସ୍ୟ ଥିବାବେଳେ ଏମାନଙ୍କ ମଧ୍ୟରେ ୫ ଜଣ ସ୍ଥାୟୀ ଓ ୧୦ ଜଣ ଅସ୍ଥାୟୀ ଭାବେ ସଦସ୍ୟ ରହିଛନ୍ତି। ଆମେରିକା, ଋଷ, ଚୀନ, ବ୍ରିଟେନ ଓ ଫ୍ରାନ୍‌ସ ସ୍ଥାୟୀ ସଦସ୍ୟ ହୋଇଥିବାବେଳେ ବେଲଜିୟମ, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ ତିନିଟି ଦେଶ ଅସ୍ଥାୟୀ ସଦସ୍ୟ ରହିଛନ୍ତି

ସ୍ଥାୟୀ ସଦସ୍ୟ ଚୀନକୁ ଛାଡିଦେଲେ ଫ୍ରାନ୍‌ସ, ଋଷ, ବ୍ରିଟେନ ଓ ଆମେରିକା ପାକିସ୍ତାନ ସପକ୍ଷରେ ନାହାନ୍ତି  ଏହି ସବୁ ରାଷ୍ଟ୍ରଙ୍କର କହିବା କଥା କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନର ଏହା ଆଭ୍ୟନ୍ତରୀଣ ମାମଲା।  ଦୁଇ ଦେଶ ଏହାକୁ ମିଳିତ ଭାବେ ସମାଧାନ କରିବା ଆବଶ୍ୟକ। କୌଣସି ତୃତୀୟ ପକ୍ଷ ଏଥିରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ନାହିଁ। ସେହିପରି ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ପୋଲାଣ୍ଡକୁ ଛାଡିଦେଲେ ଅନ୍ୟ ଦେଶମାନେ ମଧ୍ୟ ପାକିସ୍ତାନ ସପକ୍ଷରେ ନଥିବାର ଦେଖିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ, କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ। ଅନ୍ୟପଟେ ପାକିସ୍ତାନର ମିତ୍ର ଚୀନ ଏହି କଥାକୁ ସମର୍ଥନ କରି ଜାତିସଂଘ ସୁରକ୍ଷା ପରିଷଦଙ୍କୁ ବୈଠକ ଡାକିବା ପାଇଁ ଦାବି ଜଣାଇଥିଲା।

ସମ୍ବନ୍ଧିତ ଖବର