୨୨ ଜଣ ସଧବା ପାଉଛନ୍ତି ବିଧବା ଭତ୍ତା

ସୀତାପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ୨୨ ଜଣ ସଧବା ମହିଳାଙ୍କୁ ବିଧବା ଭତ୍ତା ମିଳୁଥିବା ଜଣା ପଡ଼ିବାପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ସୀତାପୁର ଜିଲ୍ଲା ବାଟସଗଞ୍ଜ ଗ୍ରାମର ସନ୍ଦୀପ କୁମାରଙ୍କ ପତ୍ନୀଙ୍କ ମୋବାଇଲ ଫୋନ୍‌କୁ ଗତ ସୋମବାର ଦିନ ଏକ ଏସ୍‌ଏମ୍‌ଏସ୍‌ ମେସେଜ୍‌ ଆସିଥିଲା। ସନ୍ଦୀପ ଯେତେବେଳେ ସେହି ମେସେଜ୍‌ଟିକୁ ଖୋଲି ପଢ଼ିଲେ, ସେ ଜାଣିବାକୁ ପାଇଲେ ଯେ ସେଇ ମେସେଜ୍‌ଟି ବ୍ୟାଙ୍କ୍‌ରୁ ଆସିଛି ଏବଂ ତାଙ୍କ ପତ୍ନୀଙ୍କ ଜମା ଖାତାରେ ୩୦୦୦ଟଙ୍କା ଜମା ହୋଇଯାଇଛି ବୋଲି ଉଲ୍ଲେଖ ରହିଛି। ପରଦିନ ସନ୍ଦୀପ ଯେତେବେଳେ ବ୍ୟାଙ୍କ୍‌କୁ ଯାଇ ଅନୁସନ୍ଧାନ କଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ବିଧବା ଭତ୍ତା ବାବଦରେ ତାଙ୍କ ପତ୍ନୀଙ୍କ ଜମାଖାତାରେ ୩୦୦୦ଟଙ୍କା ଜମା ହୋଇଛି। ତେବେ, ସେ ବଞ୍ଚି ଥାଉଥାଉ ତାଙ୍କ ପତ୍ନୀ କିପରି ବିଧବା ଭତ୍ତା ପାଇବାରେ ସମର୍ଥ ହେଲେ ସେଇ ଚିନ୍ତାରେ ଚିନ୍ତିତ ଥିବାବେଳେ ସେ ଜାଣିବାକୁ ପାଇଲେ ଯେ କେବଳ ତାଙ୍କ ପତ୍ନୀ ନୁହନ୍ତି ତାଙ୍କ ଶାଶୁ ଓ ଦେଢ଼ଶାଶୁ ମଧ୍ୟ ବିଧବା ଭତ୍ତା ପାଇଛନ୍ତି, ଯେତେବେଳେ କି ସେମାନଙ୍କ ସ୍ୱାମୀମାନେ ବଞ୍ଚିଛନ୍ତି। ଏଘଟଣାରେ ଆଶ୍ଚର୍ଯ୍ୟ ଚକିତ ହୋଇ ସନ୍ଦୀପ ଯେତେବେଳେ ଯାଇ ଘଟଣା ସଂପର୍କରେ ଜିଲ୍ଲାପାଳ ସୀତା ବର୍ମାଙ୍କୁ ଜଣାଇଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ଜିଲ୍ଲାପାଳ ଅନୁସନ୍ଧାନ କରି ଜାଣିଲେ କେବଳ ଏହି ତିନି ମହିଳା ନୁହନ୍ତି; ବରଂ ୨୨ ଜଣ ମହିଳା ବିଧବା ଭତ୍ତା ପାଉଛନ୍ତି, ଯେଉଁମାନଙ୍କର ସ୍ୱାମୀମାନେ ଜୀବିତ ଅଛନ୍ତି। ଏବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣା ସଂପର୍କରେ ଏକ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର