ବାଜେ ଅକ୍ଷର ଯୋଗୁଁ ଡାକ୍ତରଙ୍କ ଉପରେ ୫୦୦୦ ଟଙ୍କା ଜରିମାନା କଲେ ଉତ୍ତରପ୍ରଦେଶ ହାଇକୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍‌ ବାଜେ ଅକ୍ଷର ଲେଖିଥିବା (ପଢ଼ି ହେଉ ନ ଥିବା) ୩ ଜଣ ଡାକ୍ତରଙ୍କ ଉପରେ ୫୦୦୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛି।

ଗତ ସପ୍ତାହରେ ଶୁଣାଣି ପାଇଁ ଆସିଥିବା ତିନିଟି ଅପରାଧିକ ମାମଲାରେ ସୀତାପୁର, ଉନ୍ନାଓ ଏବଂ ଗୋଣ୍ଡା ଜିଲ୍ଲା ହସ୍‌ପିଟାଲ୍‌ ଦେଇଥିବା ପୀଡ଼ିତମାନଙ୍କର ଆଘାତ ରିପୋର୍ଟ ପଢ଼ି ହେଉ ନ ଥିଲା। ଏହାର କାରଣ ଯେଉଁ ଡାକ୍ତରମାନେ ତାହା ଲେଖିଥିଲେ ସେମାନଙ୍କର ଅକ୍ଷର ଅତି କଦର୍ଯ୍ୟ।

ଖଣ୍ଡପୀଠ ବିଚାର କଲେ ଯେ ଏହା ଅଦାଲତ କାର୍ଯ୍ୟକ୍ରମରେ ଏକ ବାଧକ। ତେଣୁ ଅଦାଲତ ଉନ୍ନାଓର ଡାକ୍ତର ଟିପି ଜୟସ୍ୱାଲ୍‌, ସୀତାପୁରର ଡାକ୍ତର ପିକେ ଗୋଏଲ୍‌ ଏବଂ ଗୋଣ୍ଡାର ଡାକ୍ତର ଆଶିଷ ସାକ୍‌ସେନାଙ୍କୁ ସମନ୍‌ କରିଥିଲେ। ଜଷ୍ଟିସ୍‌ ଅଜୟୀ ଲାମ୍ବା ଏବଂ ଜଷ୍ଟିସ୍‌ ସଞ୍ଜୟ ହର୍‌କୌଲି ସେମାନଙ୍କୁ ଭର୍ତ୍ସନା କରିବା ସହ ଅଦାଲତ ଲାଇବ୍ରେରିରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବାକୁ କହିଥିଲେ।

କାମର ବୋଝ ଯୋଗୁଁ ସେମାନେ ସ୍ପଷ୍ଟ ରୂପେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖି ପାରୁ ନାହାନ୍ତି ବୋଲି ନିବେଦନ କରିଥିଲେ।

ଅଦାଲତ ଗୃହ ବିଭାଗର ପ୍ରମୁଖ ସଚିବ, ଡାକ୍ତରୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଏବଂ ଡାକ୍ତରୀ ଓ ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର୍‌ ଜେନେରାଲ୍‌ଙ୍କୁ ନିର୍ଦେଶ ଦେଇ କହିଛନ୍ତି କି, ଭବିଷ୍ୟତରେ ମେଡିକୋ ରିପୋର୍ଟ ସବୁ ସହଜ ଭାଷା ଓ ସ୍ପଷ୍ଟ ଅକ୍ଷରରେ ଲେଖାଯିବା ଉଚିତ। ଏଭଳି ରିପୋର୍ଟ ସବୁ କମ୍ପ୍ୟୁଟର୍‌ରେ ଟାଇପ୍‌ କରାଗଲେ ଭଲ ହୁଅନ୍ତା ବୋଲି ମଧ୍ୟ ଅଦାଲତ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର