“ଆଉ ଅପରାଧ କରିବି ନାହିଁ, ମୋତେ ଗୁଳି ମାରନି” ନାମୀ ଅପରାଧୀ ଦେହରେ ପ୍ଲାକାର୍ଡ ଝୁଲାଇ ଆତ୍ମସମର୍ପଣ କଲା

ଆମରୋହା (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଅପରାଧୀଙ୍କ ପାଇଁ ଶନିଦଶା ଆସିଯାଇଥିବା କୁହାଯାଉଛି । ଉତ୍ତରପ୍ରଦେଶରୁ ଅପରାଧକୁ ଦମନ କରିବାକୁ ଯୋଗୀ ପୁଲିସର ହାତ ଖୋଲିଦେଇଛନ୍ତି । ପୁଲିସ ମଧ୍ୟ ଅପରାଧୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରୁଛି । ଏହା ଫଳରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଏପର୍ଯ୍ୟନ୍ତ ୧୭୦୦ ଏନକାଉଣ୍ଟର ହୋଇଛି ଓ ଏଥିରେ ୫୦ ଜଣ ଅପରାଧୀ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ୟୁପିର ଅପରାଧୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅପରାଧୀମାନେ ଏବେ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି କିମ୍ବା ଆତ୍ମସମର୍ପଣ କରୁଛନ୍ତି ।

 

ଏପରି ଏକ ଅଜବ ଅପରାଧୀ ଉତ୍ତରପ୍ରଦେଶର ଆମରୋହାଠାରେ ଆତ୍ମସମର୍ପଣ କରିଛି । ଫୈଜାନ ଅହମଦ ନାମକ ଏହି ଅପରାଧୀ ନାଁରେ ବିଭିନ୍ନ ଡକାୟତି, ହତ୍ୟାଉଦ୍ୟମ ଆଦି ମାମଲା ରହିଛି । ସେ ଗତକାଲି ଆମରୋହା ଏସପିଙ୍କ ଅଫିସରେ ହାଜର ହୋଇ ଆତ୍ମସମର୍ପଣ କରିଛି । ତେବେ ଏନକାଉଣ୍ଟର ଭୟରେ ସେ ନିଜ ଛାତିରେ ଏକ ପ୍ଲାକାର୍ଡ ମାରି ଗତ କିଛି ଦିନ ହେଲା ବୁଲୁଥିଲା । ସେଥିଲେ ଲେଖା ରହିଛି, “ମୁଁ ଆଉ କେବେ ଜୀବନରେ ଅପରାଧ କରିିବି ନାହିଁ, ମୋତେ ଗୁଳି ମାର ନାହିଁ”। ଆତ୍ମସମର୍ପଣ ପୂର୍ବରୁ ସେ ଗଣମାଧ୍ୟମ କର୍ମୀଙ୍କ ମାଧ୍ୟମରେ ପୁଲିସ ନିକଟକୁ ଏନକାଉଣ୍ଟର ନ କରିବା ପାଇଁ ଖବର ପଠାଇଥିଲା । ତା ପରେ ସେ ଏସପି ଅଫିସ ଯାଇ ଏଏସପି ବ୍ରିଜେଶ ସିଂଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ତାକୁ ପୁଲିସ ଗିରଫ କରି ଜେଲକୁ ପଠାଇଦେଇଛି । ଏହି ଅବସରରେ ସେ କହିଛି ଯେ ସେ ବରଂ ସାରାଜୀବନ ଜେଲରେ ରହିବ କିନ୍ତୁ ଆଉ ଅପରାଧ କରିବନାହିଁ ।

ସମ୍ବନ୍ଧିତ ଖବର