ରାମ ମନ୍ଦିର ନିର୍ମାଣ ପାଇଁ ୟୁପି ଡିଜିଙ୍କ ଶପଥ

ନୂଆଦିଲ୍ଲୀ: ବିବାଦୀୟ ରାମ ମନ୍ଦିର- ବାବ୍ରି ମସଜିଦ୍‌ ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ଥିବାବେଳେ ଆଜି ଉତ୍ତରପ୍ରଦେଶ ଡିଜି ହୋମଗାର୍ଡ ସୂର୍ଯ୍ୟ କୁମାର ଶୁକ୍ଳା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶପଥ ନେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ରାମ ମନ୍ଦିର ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୧୯୮୨ ବ୍ୟାଚ୍‌ ଆଇପିଏସ ଅଧିକାରୀ ଶୁକ୍ଳା କହିଥିଲେ- ଆମେ ରାମଭକ୍ତମାନେ ଆଜି ଏହି କାର୍ଯ୍ୟକ୍ରମରେ ଶପଥ ନେବା ଯେ ଅଯୋଧ୍ୟାରେ ଖୁବ୍‌ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବ। ଏତିକି କହି ଶୁକ୍ଳା ଜୟ ଶ୍ରୀରାମ କହିଥିଲେ। ଶୁକ୍ଳାଙ୍କୁ ସମର୍ଥନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିବିଶେଷମାନେ ମଧ୍ୟ ଜୟ ଶ୍ରୀରାମ ସ୍ଲୋଗାନ୍‌ ଦେଇଥିଲେ। ଏହି ବୟାନର ଭିଡିଓ ଭାଇରାଲ ହେବାପରେ ଶୁକ୍ଳାଙ୍କ ଅଡ଼ୁଆ ବଢ଼ିଯାଇଛି। ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏହାକୁ ନିନ୍ଦା କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାଜ୍ୟ ସରକାର ଏ ବାବଦରେ ଶୁକ୍ଳାଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ଏବଂ ସେହି ଆଧାରରେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର