ଯେ କୌଣସି ମୁହୂର୍ତ୍ତରେ ଛାତ ଭାଙ୍ଗିବାର ଆଶଙ୍କା ଥିବାରୁ ହେଲ୍‌ମେଟ ପିନ୍ଧି ଅଫିସରେ ବସୁଛନ୍ତି ସରକାରୀ କର୍ମଚାରୀ

ବାନ୍ଦା(ଉତ୍ତରପ୍ରଦେଶ) : ସରକାରୀ ସ୍କୁଲ ହେଉ ବା ଅଫିସ, ତାହାର ପାରିପାର୍ଶ୍ୱିକ ଅବସ୍ଥା କିଭଳି ଥାଏ, ତାହା କାହାକୁ ଅବା ଅଜଣା । ସମସ୍ତେ ଖୁବ୍‌ ଭଲ ଭାବରେ ଜାଣିବା ସହ ଅନେକ ଏହାକୁ ଅନୁଭବ ମଧ୍ୟ କରିଛନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ଏକ ସରକାରୀ ଅଫିସରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଫିସର ଛାତ ଭୁଷୁଡ଼ିବାର ଆଶଙ୍କା ଥିବାରୁ ତାହାର ମରାମତି କରିବା ପରିବର୍ତ୍ତେ କର୍ମଚାରୀମାନଙ୍କୁ ହେଲ୍‌ମେଟ୍‌ ପିନ୍ଧି ବସିବାକୁ କୁହାଯାଉଥିବା ଜଣା ପଡ଼ିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାଟି ବାନ୍ଦା ଜିଲ୍ଲାରେ ଥିବା ବିଦ୍ୟୁତ୍‌ ବିଭାଗ କୋଠାର । ଛାତର ଅବସ୍ଥା ଖରାପ ହୋଇ ପଡ଼ିଥିବାରୁ କର୍ମଚାରୀମାନେ ନିଜକୁ ସୁରକ୍ଷା ଦେବା ପାଇଁ ହେଲ୍‌ମେଟ ପିନ୍ଧି ବସିବା ପାଇଁ ବାଧ୍ୟ ହେଉଛନ୍ତି । ରାସ୍ତାରେ ଗାଡ଼ି ଚଳାଇବା ସମୟରେ ପିନ୍ଧନ୍ତୁ କି ନାହିଁ, ସେମାନେ ଅଫିସ ଭିତରେ କିନ୍ତୁ ହେଲମେଟ୍‌ ପିନ୍ଧିବା ପାଇଁ କେବେ ଭୁଲନ୍ତି ନାହିଁ । ତେବେ ଛାତ ଭୁଶୁଡ଼ିଲେ ହେଲ୍‌ମେଟ୍‌ କେତେ ଦୂର ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେବ, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ମୁଁ ଦୁଇ ବର୍ଷ ତଳେ ଏହି ଅଫିସରେ ଯୋଗ ଦେବା ସମୟରୁ ହିଁ ଏହାର ଅବସ୍ଥା ଏଭଳି ରହିଛି । ଏ ନେଇ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ମରାମତି କରାଯାଇ ନାହିଁ ।

ସମ୍ବନ୍ଧିତ ଖବର