ଉତ୍ତରପ୍ରଦେଶରେ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ବନ୍ଦ, ୧୫ ଜୁଲାଇରୁ ଲାଗୁ ହେବ ରୋକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ବ୍ୟବହାର ହେଉଥିବା ୫୦ ମାଇକ୍ରନ୍‌ରୁ ଅଧିକ ଥିବା ପଲିଥିନ୍‌ର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଶୁକ୍ରବାର ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହା ୧୫ ଜୁଲାଇରୁ ଲାଗୁ ହେବ । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମହାରାଷ୍ଟ୍ର ଭଳିି ଉତ୍ତରପ୍ରଦେଶରେ ମଧ୍ୟ ପ୍ଲାଷ୍ଟିକ ଓ ପଲିଥିନ୍‌ ଉପରେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଜାରି କରଛନ୍ତି । ଆଜି ରାଜ୍ୟର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶର ପରିବେଶ ବିଭାଗର ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମହାରାଷ୍ଟ୍ର ସରକାର ଜୁନ୍‌ ମାସରୁ ରାଜ୍ୟରେ ସବୁ ପଲିଥିନ୍‌ ଦ୍ରବ୍ୟର ବ୍ୟବହାର ଉପରେ କଟକଣା ଲଗାଇ ସାରିଛନ୍ତି । କେବଳ ଏତିକି ନୁହେଁ, ସରକାର ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଯଦି ଏହି ନିୟମରେ କିଏ ଖିଲାପ କରନ୍ତି ଜରିମାନା ଦେବାକୁ ପଡିବ । ପ୍ରଥମ ଥର ଧରା ପଡ଼ିଲେ ୫୦୦୦ ଟଙ୍କା ଦ୍ୱିତୀୟ ଥର ଧରାପଡିଲେ ୧୦୦୦୦ ଟଙ୍କା ଦେବାକୁ ପଡିବ । ତୃତୀୟ ଥର ଧରା ପଡିଲେ ୨୫୦୦୦ ଟଙ୍କା ଜରିମାନା ସହ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

କିନ୍ତୁ ଜରିମାନାକୁ ନେଇ ଉତ୍ତରପ୍ରଦେଶ ସରକାର ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି । ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶ ଦେଶର ୧୯ ତମ ରାଜ୍ୟ ଭାବେ ପ୍ଳାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାର ଉପରେ ରୋକ୍‌ ଲଗାଇଛି ।

ସମ୍ବନ୍ଧିତ ଖବର