କୁମ୍ଭମେଳାରେ ନିୟୋଜିତ ହେବେ ଯୁବ, ବଳବାନ, ଶାକାହାରୀ, ମଦ୍ୟପାନ-ଧୂମପାନ ନ କରୁଥିବା ମଧୁରଭାଷୀ ପୁଲିସ୍‌

ଆଗ୍ରା: ଯୁବ, ଶକ୍ତିଶାଳୀ, ଶାକାହାରୀ, ମଦ୍ୟପାନ-ଧୂମପାନ ନ କରୁଥିବା ମଧୁରଭାଷୀ ପ୍ରାର୍ଥୀ ଆବଶ୍ୟକ। ଏହି ଯୋଗ୍ୟତା କୌଣସି ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ନୁହେଁ, ବରଂ କୁମ୍ଭମେଳାରେ ନିୟାଜିତ ହେବାକୁ ଥିବା ପୁଲିସ୍‌ ପଦବୀ ପାଇଁ ଆବଶ୍ୟକ। ଉତ୍ତରପ୍ରଦେଶର ଆହ୍ଲାବାଦ୍‌ଠାରେ ଆଗକୁ ଜାନୁଆରି ୧୫ ତାରିଖରେ ହେବାକୁ ଥିବା ଏହିି ମେଳାରେ ଏପରି ଯୋଗ୍ୟତା ରଖିଥିବା ପୁଲିସ୍‌ଙ୍କୁ ନିୟୋଜିତ କରାଯିବ ବୋଲି କୁମ୍ଭମେଳା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏହାବ୍ୟତୀତ ଉକ୍ତ ପୁଲିସ୍‌ କର୍ମଚାରୀଙ୍କ ନିକଟରେ ଉତ୍ତମ ଚରିତ୍ରର ସାର୍ଟିଫିକେଟ୍‌ ଥିବା ସହ ସେ ଆହ୍ଲାବାଦ୍‌ର ହୋଇନଥିବେ ବୋଲି ମଧ୍ୟ କୁହାଯାଇଛି। ବିଭାଗ ପକ୍ଷରୁ ଆହୁରି ବି କୁହାଯାଇଛି ଯେ କୁମ୍ଭମେଳା ସମୟରେ କୌଣସି ପୁଲିସ୍‌ ଅଧିକାରୀ ଡିଉଟିରେ ରହିବେ ନାହିଁ। ସୁରକ୍ଷା କର୍ମୀମାନଙ୍କ ନିୟୋଜନ ଅକ୍ଟୋବର ମାସରୁ ଆରମ୍ଭ ହୋଇଯିବ। ଅର୍ଧସୈନିକ ବଳ ସମେତ ୧୦ ହଜାରୁ ଊର୍ଧ୍ୱ ସୁରକ୍ଷାକର୍ମୀ ପୋଷାକରେ ରହିବେ।

ଭିନ୍ନ ର‍୍ୟାଙ୍କ୍‌ ପାଇଁ ଭିନ୍ନ ବୟସ ସୀମା ସ୍ଥିର କରାଯାଇଛି। ୩୫ ବର୍ଷ ମଧ୍ୟରେ କନେଷ୍ଟବଲ୍‌ଙ୍କୁ ନିୟୋଜିତ କରାଯିବ। ହେଡ୍‌ କନ୍‌ଷ୍ଟେବଲ୍‌ ପାଇଁ ବୟସ ସୀମା ରହିଛି ୪୦ ବର୍ଷ। ସବ୍‌-ଇନ୍‌ସ୍ପେକ୍ଟର ଓ ଇନ୍‌ସ୍ପେକ୍ଟର ପାଇଁ ବୟସ ସୀମା ରହିଛି ୪୫ ବର୍ଷ।

ଚାରିଟି ପ୍ରକ୍ରିୟାରେ ଏହି ନିୟୋଜନ କାମ ସରିବ। ପ୍ରଥମ ପର୍ଯ୍ୟାୟରେ ୧୦ ପ୍ରତିଶତ, ଦ୍ୱିତୀୟ ପର୍ଯ୍ୟାୟରେ ୪୦ ପ୍ରତିଶତ ଓ ଡିସେମ୍ବରରେ ୨୫ ପ୍ରତିଶତ ପୁଲିସଙ୍କୁ ନିୟୋଜିତ କରାଯିବାର ଯୋଜନା ରହିଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଯେଉଁମାନଙ୍କୁ ନିୟୋଜିତ କରାଯିବ ସେମାନେ ରାଜ୍ୟର ପଶ୍ଚିମାଞ୍ଚଳରୁ ଆସିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର