ସବୁ ଯୋଜନା କେବଳ ଭାଷଣରେ ସୀମିତ: ବିକାଶର ପ୍ରତୀକ ୟୁପିରେ ରାଜରାସ୍ତା ଉପରେ ଶିଶୁକନ୍ୟା ପ୍ରସବ କଲେ ପ୍ରସୂତୀ

ଜଲାଉନ୍‌ (ଉତ୍ତରପ୍ରଦେଶ): ସମସ୍ତ ଦେଶବାସୀଙ୍କୁ ସବୁ ପ୍ରକାରର ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ବାରମ୍ବାର ଘୋଷଣା କରୁଛନ୍ତି। ଏଥିସହ ଆୟୁଷ୍ମାନ ଭାରତ ଠାରୁ ଆରମ୍ଭ କରି ଏକାଧିକ ଯୋଜନା ପ୍ରଣୟନ କରିଥିବା ମଧ୍ୟ ନିଜ ଭାଷଣରେ କହୁଛନ୍ତି। ତେବେ, ସଂପ୍ରତି ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ବିକାଶର ଏକ ନମୁନା ରୂପେ ଉତ୍ତରପ୍ରଦେଶକୁ ଦେଶବାସୀଙ୍କ ଆଗରେ ପେଶ୍‌ କରୁଥିବା ବେଳେ ସେଇ ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରସବ ଯନ୍ତ୍ରଣାରେ ଜର୍ଜରିତ ଜନୈକା ପ୍ରସୂତୀ ଉତ୍ତରପ୍ରଦେଶର ଏକ ସରକାରୀ ହସ୍ପିଟାଲକୁ ଯାଇଥିବା ବେଳେ ସେଠାରେ ଥିବା ଡାକ୍ତରମାନେ ତାଙ୍କର ଚିକିତ୍ସା ନକରି ଫେରାଇ ଦେଇଥିଲେ। ପରେ ପ୍ରସୂତି ଜଣକ ହସ୍ପିଟାଲରୁ ଫେରୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ସର୍ବ ସମ୍ମୁଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହି ଘଟଣାକୁ ଦେଖିବା ପରେ ଦେଶବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ସବୁ ଘୋଷଣା ଓ ଯୋଜନା କେବଳ ଭାଷଣରେ ହିଁ ସୀମିତ ବୋଲି ଆଲୋଚନା ହେଉଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ଜଲାଉନର ଜଣେ ବିବାହିତ ମହିଳା ଗର୍ଭ ଯନ୍ତ୍ରଣାରେ ଅତିଷ୍ଠ ହେବା ପରେ ଗତ ବୁଧବାର ଦିନ ତାଙ୍କ ପରିବାର ଲୋକ ତାଙ୍କୁ ଜଲାଉନର ସରକାରୀ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ସରକାରୀ ହସ୍ପିଟାଲରେ ଥିବା ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇ ତାଙ୍କର ପ୍ରସବ କରାଇବା ପରିବର୍ତ୍ତେ ତିନିଦିନ ପରେ ଆସ ବୋଲି କହି ଘରକୁ ଫେରାଇ ଦେଇଥିଲେ। ହେଲେ, ପ୍ରସୂତି ଜଣକ ହସ୍ପିଟାଲରୁ ଫେରୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ସର୍ବ ସମ୍ମୁଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ଏଘଟଣାରେ ଉତକ୍ଷିପ୍ତ ହୋଇ ପ୍ରସୂତୀଙ୍କ ପରିବାର ସଦସ୍ୟ ମୁଖ୍ୟ ମେଡିକାଲ ଅଧିକାରୀଙ୍କୁ ଘେରିବା ପରେ ସେ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ସ୍ୱୀକାର କରିବା ସହ ଏହି ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର