ୟୁପି ମନ୍ତ୍ରୀ, ବିଧାୟକଙ୍କ ବିବାଦୀୟ ବୟାନ: ‘ମୋଦୀ, ଯୋଗୀଙ୍କ ବିରୋଧରେ କହିଲେ ଜିଅନ୍ତା କବର ଦେଇଦେବି’

‘ମମତା ବାନାର୍ଜୀ ରାକ୍ଷସୀ’

ଆଲିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଯିଏ କିଛି ମନ୍ତବ୍ୟ ଦେବ ତାକୁ ମୁଁ ଜିଅନ୍ତା କବର ଦେଇଦେବି ବୋଲି କହି ଉତ୍ତର ପ୍ରଦେଶର ମନ୍ତ୍ରୀ ତଥା ବିଜେପି ନେତା ରଘୁରାଜ ସିଂହ ବିବାଦୀୟ ହୋଇ ପଡ଼ିଛନ୍ତି। ଆଲିଗଡ଼ ମୁସ୍‌ଲିମ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ବିଶ୍ବବିଦ୍ୟା‌ଳୟକୁ ଯିଏ ଅର୍ଥ ଦେଉଛନ୍ତି, ସେହି ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କହିବାକୁ ସେମାନେ କିଭଳି ସାହସ କରୁଛନ୍ତି? ଉତ୍ତର ପ୍ରଦେଶରେ ଲାଗୁ ହେବାକୁ ଥିବା ସିଏଏକୁ ନେଇ ଆୟୋଜିତ ସମାବେଶରେ ମନ୍ତ୍ରୀ କହିଛନ୍ତି, ଦେଶରେ ଏନ୍‌ଆର୍‌ସି ଲାଗୁ ହେବା ଜରୁରୀ। ଦେଶ ଗୋଟିଏ ଧର୍ମଶାଳା ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଯଦି ପାକିସ୍ତାନ ଭାରତକୁ ନାଲିଆଖି ଦେଖାଏ, ତେବେ ସବୁଦିନ ପାଇଁ ମାନଚିତ୍ରରୁ ପାକିସ୍ତାନର ନାମ ଲିଭିଯିବ ଏବଂ ଚୀନ୍‌କୁ ଗୁଳିରେ ଜବାବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

‘ମମତା ବାନାର୍ଜୀ ରାକ୍ଷସୀ’
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାକ୍ଷସୀ କହି ବିବାଦ ଘେରକୁ ଆସିଛନ୍ତି। ସେ ମମତାଙ୍କୁ ଲଙ୍କାର ‘ଲଙ୍କିନୀ’ (ରାକ୍ଷସୀଙ୍କ ମୁଖ୍ୟ) ସହ ତୁଳନା କରିବାକୁ ପଛାଇ ନାହାନ୍ତି। ମମତା ଆତଙ୍କବା‌ଦୀଙ୍କୁ ସୁରକ୍ଷା ଦେଇ ହଜାର ହଜାର ହିନ୍ଦୁଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ବିଧାୟକ କହିଛନ୍ତି। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମମତା ଜଣେ ରାକ୍ଷସୀଙ୍କ ଭଳି ବ୍ୟବହାର କରୁଛନ୍ତି। ତାଙ୍କ ନିକଟରେ ଆଦୌ ମାନବିକ ମୂଲ୍ୟବୋଧ ଏବଂ ନାରୀସୁଲଭ ଗୁଣ ନାହିଁ ବୋଲି ବିଧାୟକ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଲକାତା ଗସ୍ତ ବେଳେ ସିଏଏ, ଏନ୍‌ଆର୍‌ସିକୁ ଟିଏମ୍‌ସି ବିରୋଧ କରିଥିଲା। ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରାଯିବାରୁ ଉତ୍ତର ପ୍ରଦେଶର ଏହି ବିଧାୟକ ମମତାଙ୍କ ପ୍ରତି ପ୍ରଚଣ୍ଡ ପ୍ରତିକ୍ରିୟାଶୀଳ ହୋଇ ଏଭଳି କହିଛନ୍ତି। ଭାରତ ଦେବତାଙ୍କର ଦେଶ ହୋଇଥିବାବେଳେ ଟିଏମ୍‌ସି, ଏସ୍‌ପି, ବିଏସ୍‌ପି ଭଳି ରାଜନୈତିକ ଦଳ ରାକ୍ଷସଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ବିଧାୟକ ସୁରେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର