ନଇଡ଼ା: ପ୍ରବାସୀ ଶ୍ରମଜୀବୀଙ୍କ ଘରବାହୁଡ଼ା ନିମ‌ନ୍ତେ ନଇଡ଼ାକୁ ୧୦୦ଟି ବସ୍‌ ନେଇ ଲକ୍‌ଡାଉନ୍ କଟକଣା ଉଲ୍ଲଂଘନ କରିଥିବା କାରଣରୁ ଉତ୍ତର ପ୍ରଦେଶ ପୁଲିସ କଂଗ୍ରେସ ନେତାମାନଙ୍କ ବିରୋଧରେ ଏଫ୍‌ଆଇର୍ ରେଜିଷ୍ଟ୍ରି କରିଛି।

Advertisment

ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ବସ୍ ଚଳାଇବା ଲାଗି ଉତ୍ତର ପ୍ରଦେଶ ସରକାର ଏବଂ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ପତ୍ର-ଯୁଦ୍ଧ ଚାଲିଥିବା ସମୟରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କଂଗ୍ରେସ ନେତାମାନେ ନଇଡ଼ାକୁ ୧୦୦ଟି ବସ୍ ନେଇଥିଲେ।

କିନ୍ତୁ, ବୁଧବାର ସକାଳେ ପୁଲିସ ଏହି ବସ୍‌ଗୁଡ଼ିକୁ ଅଟକାଇବା ସହ ଲକ୍‌ଡାଉନ୍ ଉଲ୍ଲଂଘନ କରିଥିବା କାରଣରୁ ପ୍ରାୟ ୨୦ଜଣ କଂଗ୍ରେସ୍ ନେତାଙ୍କୁ ବୁକ୍ କରିଛି। ବୁକ୍‌ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ପଙ୍କଜ ମଲ୍ଲିକ। ପୁଲିସ କହିଛି ଯେ ଉକ୍ତ ୧୦୦ଟି ବସ୍‌ ମଧ୍ୟରୁ ଦୁଇଟି ବସ୍‌ର ଫିଟ୍‌ନେସ୍ ସାର୍ଟିଫିକେଟ୍ ଏପ୍ରିଲ୍ ୨, ୨୦୧୯ରେ ପୂରିଯାଇଛି।

publive-image Image Source: India Today

ଏଠାରେ ପ୍ରକାଶଯୋଗ୍ୟ କି, ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ନିମନ୍ତେ ୧୦୦୦ ବସ୍ ଚଳାଇବାକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଦେଇଥିବା ପ୍ରସ୍ତାବକୁ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ବସ୍, ଡ୍ରାଇଭର୍, କଣ୍ଡକ୍ଟର୍‌ମାନଙ୍କ ନାମ ତାଲିକା ଓ ଅନ୍ୟାନ୍ୟ ବିବରଣୀ ଦାଖଲ କରିବାକୁ କହିଥିଲେ। କିନ୍ତୁ, କଂଗ୍ରେସ ଦେଇଥିବା ତାଲିକାରେ ଥିବା ରେଜିଷ୍ଟ୍ରେସନ୍ ନମ୍ବରଗୁଡ଼ିକ ବସ୍‌ର ନୁହେଁ; ସ୍କୁଟର, ତିନିଚକିଆ ଯାନ ଓ ମାଲବାହୀ ଯାନର ବୋଲି ଉତ୍ତର ପ୍ରଦେଶ ସରକାର ଅଭିଯୋଗ କରିଥିଲେ।