୫ ଏକର ଜମି ଗ୍ରହଣ କଲା ଉତ୍ତର ପ୍ରଦେଶ ସୁନ୍ନି ଓ୍ଵାକଫ୍‌ ବୋର୍ଡ, ପରବର୍ତ୍ତୀ କାର୍ଯ୍ୟଧାରା ପାଇଁ ଫେବ୍ରୁଆରି ୨୪ରେ ବୈଠକ

ଲକ୍ଷ୍ନୌ: ମସ୍‌ଜିଦ୍‌ ନିର୍ମାଣ ନିମନ୍ତେ ଉତ୍ତର ପ୍ରଦେଶ ସୁନ୍ନି ଓ୍ଵାକଫ୍‌ ବୋର୍ଡ ୫ ଏକର ଜମି ଗ୍ରହଣ କରିଛି। ପରବର୍ତ୍ତୀ କାର୍ଯ୍ୟଧାରା ସ୍ଥିର କରିବା ପାଇଁ ଫେବ୍ରୁଆରି ୨୪ ତାରିଖରେ ବୋର୍ଡର ସଦସ୍ୟମାନେ ଏକ ବୈଠକରେ ଏକତ୍ର ହେବେ।

ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅଗ୍ରାହ୍ୟ କରିବାକୁ ଓ୍ଵାକଫ୍‌ ବୋର୍ଡ ନିକଟରେ ସ୍ୱାଧୀନତା ନ ଥିଲା। ତେଣୁ ଜମି ଗ୍ରହଣ କରାଯାଇଛି ବୋଲି ଓ୍ଵାକଫ୍‌ ବୋର୍ଡ କହିଥିବା ଜଣାପଡ଼ିଛି।

ମିଳିଥିବା ଜମିରେ କ’ଣ କରାଯିବ- ଏ ସଂକ୍ରାନ୍ତରେ ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି। କେତେକ ସ୍କୁଲ୍‌ ନିର୍ମାଣ କରିବାକୁ ଚାହୁଁଥିବା ବେଳେ ଅନ୍ୟ କେତେକ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି।

Image Source: The Indian Express

ସେ ଜମିରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ମଧ୍ୟ ସୁନ୍ନି ଓ୍ଵାକଫ୍‌ ବୋର୍ଡ ଏକ ଟ୍ରଷ୍ଟ୍‍ ଗଠନ କଥା ଏହି ବୈଠକରେ ଘୋଷଣା କରିବାର ସମ୍ଭାବନା ରହିଛି। ଏହି ଟ୍ରଷ୍ଟ୍‍ର ନାମ ‘ଇଣ୍ଡୋ ଇସ୍‌ଲାମିକ୍‌ କଲ୍‌ଚର୍‌ ଫାଉଣ୍ଡେସନ୍‌’ ରଖାଯାଇପାରେ।

ମସ୍‌ଜିଦ୍‌ ନିର୍ମାଣ ନିମନ୍ତେ ଅଯୋଧ୍ୟାରେ ପାଞ୍ଚ ଏକରବିଶିଷ୍ଟ ଖଣ୍ଡେ ଉତ୍ତମ ଜମି ଓ୍ଵାକଫ୍‌ ବୋର୍ଡକୁ ଯୋଗାଇ ଦେବାକୁ ସୁପ୍ରିମ୍‌ କୋର୍ଟ ୨୦୧୯ ନଭେମ୍ବର ୯ ତାରିଖ ଦିନ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର