କସାବକୁ ୟୁପିର ବାସିନ୍ଦା ପ୍ରମାଣପତ୍ର, ଅଧିକାରୀ ନିଲମ୍ବିତ, ତଦନ୍ତ ନିର୍ଦ୍ଦେଶ

କାନପୁର: ବହୁଚର୍ଚ୍ଚିତ ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ଅଜ୍‌ମଲ୍‌ କସାବକୁ ଉତ୍ତର ପ୍ରଦେଶର ବାସିନ୍ଦା ପ୍ରମାଣପତ୍ର ମିଳିଥିଲା। ଏଥିରେ ତା’ର ଘର ୟୁପିର ଔରାଇଆ ଜିଲ୍ଲା ଅଧୀନ ବିଧୁନା ତହସିଲ୍‌ରେ ବୋଲି ଦର୍ଶାଯାଇଥିଲା। ଉକ୍ତ ଘଟଣାର ପର୍ଦ୍ଦାଫାସ ହେବା ପରେ ଜିଲ୍ଲା କର୍ତ୍ତୃପକ୍ଷ ଘଟଣାର ତର୍ଜମା କରିବା ସହିତ ଉକ୍ତ ପ୍ରମାଣପତ୍ରକୁ ତୁରନ୍ତ ରଦ୍ଦ କରିଛନ୍ତି। ଏଥିସହ ପ୍ରମାଣପତ୍ର ଜାରି କରିଥିବା ରାଜସ୍ବ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ବିଧୁନା ଏସ୍‌ଡିଏମ୍‌ ପ୍ରବେନ୍ଦ୍ର କୁମାରଙ୍କ କହିବାନୁସାରେ କସାବକୁ ବିଧୁନାର ବାସିନ୍ଦା ପ୍ରମାଣପତ୍ର ଜାରି କରାଯାଇଛି। କୌଣସି ଅଜଣା ଲୋକଙ୍କ ଦ୍ବାରା ଜାଲ୍‌ କାଗଜପତ୍ର ଦିଆଯାଇ ଏହି ପ୍ରମାଣପତ୍ର ହାସଲ କରାଯାଇଛି। ପ୍ରମାଣପତ୍ର ଆବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀ କାଗଜପତ୍ର ଭଲ ଭାବେ ଯାଞ୍ଚ ନକରି ଏହି ପ୍ରମାଣପତ୍ର ଦେଇଥିବା ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କସାବଙ୍କୁ ମୁମ୍ବାଇ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡାଦେଶ ହୋଇଥିଲା। ୨୦୧୨ ନଭେମ୍ବର ୨୧‌ରେ ପୁନେର ୟେରୱାଡ଼ା ଜେଲ୍‌ରେ ତାକୁ ଫାଶି ଦିଆଯାଇଥିଲା।

ସମ୍ବନ୍ଧିତ ଖବର