ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷା ଫଳ ପ୍ରକାଶିତ : କନିଷ୍କ କଟାରିଆ ଟପ୍ପର୍

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ବିଜ୍ଞାନ ଆଣ୍ଡ ଇଞ୍ଜିନିୟରିଂ‌ ବିଷୟରେ ବିଟେକ୍ ଡିଗ୍ରି ହାସଲ କରିଥିବା କନିଷ୍କ କଟାରିଆ ଟପ୍ପର ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା କନିଷ୍କ ଜଣେ ତଫସିଲଭୁକ୍ତ ଜାତି ବର୍ଗର ପ୍ରାର୍ଥୀ। ଗଣିତ ବିଷୟ ନେଇ ସେ ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଦ୍ବିତୀୟ ସ୍ଥାନରେ ଅକ୍ଷତ ଜୈନ ଥିବାବେଳେ ତୃତୀୟ ସ୍ଥାନରେ ଜୁନେଦ ଅହମ୍ମଦ ଏବଂ ଚତୁର୍ଥ ସ୍ଥାନରେ ଶ୍ରେୟାଂଶ କୁମାତ୍ ରହିଛନ୍ତି। ତେବେ ପଞ୍ଚମ ସ୍ଥାନରେ ସୃଷ୍ଟି ଜୟନ୍ତ ଦେଶମୁଖ ରହିଥିଲେ ମଧ୍ୟ ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଷଷ୍ଠ ସ୍ଥାନରେ ଶୁଭମ ଗୁପ୍ତା ରହିଥିବାବେଳେ ସପ୍ତମ ସ୍ଥାନରେ କର୍‌ନତି ବରୁଣ ରେଡ୍ଡୀ, ଅଷ୍ଟମ ସ୍ଥାନରେ ବୈଶାଳୀ ସିଂହ, ନବମ ସ୍ଥାନରେ ଗୁଞ୍ଜନ ଦ୍ବିବେଦୀ ଏବଂ ଦଶମ ସ୍ଥାନରେ ତନ୍ମୟ ବଶିଷ୍ଠ ଶର୍ମା ରହିଛନ୍ତି। ଟପ୍ ୧୦ରେ ସ୍ଥାନ ପାଇଥିବା ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨ ଜଣ ଝିଅ ରହିଛନ୍ତି।

ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଏଥର ସଫଳତା ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୭୭ ଜଣ ପୁଅ ଥିବାବେଳେ ୧୮୨ ଜଣ ଝିଅ ଅଛନ୍ତି। ୭୫୯ ଜଣ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬୧ ଜଣ ସାଧାରଣ ବର୍ଗର ହୋଇଥିବାବେଳେ ଓବିସି ବର୍ଗର ୨୦୯ ଜଣ, ତଫସିଲଭୁକ୍ତ ଜାତି ବର୍ଗର ୧୨୮ଜଣ, ତଫସିଲଭୁକ୍ତ ଜନଜାତି ବର୍ଗର ୬୧ ଜଣ ରହିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଛାତ୍ରଛାତ୍ରୀମାନେ ଆଇଏଏସ, ଆଇପିଏସ ଏବଂ ଆଇଏଫଏସ ଭଳି ସମ୍ମାନଜନକ ଚାକିରିରେ ନିଯୁକ୍ତ ହେବେ। ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ୟୁପିଏସ୍‌ସି ମୁଖ୍ୟ ପରୀକ୍ଷା କରିଥିବା‌ବେଳେ ଚଳିତବର୍ଷ ଫେବ୍ରୁଆରି ୪ ତାରିଖରୁ ସାକ୍ଷାତକାର ନେବା ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର