ବିମାନରେ ଭୟାବହ ଘଟଣା ! ଏୟାର ହୋଷ୍ଟେସ୍‌ ଛାତରେ ପିଟି ହେଲେ, ୧୦ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଏକ  ଅନ୍ତର୍ଜାତୀୟ ବିମାନରେ ଯାତ୍ରୀଙ୍କୁ  ଭୟାବହ  ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଉଡାଣ କରୁଥିବା ସମୟରେ ଆକସ୍ମିକ ଭାବେ ବିମାନଟି ଖୁବ ଜୋରରେ  ଦୋହଲିବାକୁ  ଲାଗିଥିଲା । ଏହି ସମୟରେ ଯାତ୍ରୀଙ୍କୁ ଗରମ ପାଣି ଦେଉଥିବା ଜଣେ ଏୟାରହୋଷ୍ଟେସ୍‌ ଛାତରେ ଯାଇ ପିଟି ହୋଇଥିଲେ। ଫଳରେ ଗରମ ପାଣି ଯାତ୍ରୀଙ୍କ ଶରୀରରେ ଢ଼ାଳି ହୋଇ ଯାଇଥିଲା।

ଏହି ଘଟଣା କୋସୋଓ୍ଵାରୁ ସୁଇଜରଲ୍ୟାଣ୍ଡ ଯାଉଥିବା ଏଏଲ୍‌କେ ଏୟାରଲାଇନ୍ସ ବିମାନରେ ଘଟିଛି। ଫଳରେ ବିମାନରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଏହାର ଶିକାର ହୋଇଛନ୍ତି। ଏୟାର ଟର୍ବ୍ୟୁଲେନ୍ସ ହେବା ଫଳରେ ବିମାନଟି ଏତେ ଜୋରରେ ଦୋହଲିବାକୁ ଲାଗିଥିଲା କି ୧୦ଜଣ ଯାତ୍ରୀ ଏଥିରେ ଆହତ ହୋଇଥିଲେ। ବିମାନଟି ଅବତରଣ କରିବା ପରେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ନିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ଯାତ୍ରୀ ଭୟଭୀତ ହୋଇଯାଇଥିବା ଜଣାପଡ଼ୁଛି। ଭିଡିଓରେ ଜଣେ ମହିଳା ପ୍ରାର୍ଥନା କରୁଥିବା ବି ନଜର ଆସିଛନ୍ତି। ତେବେ ଏହି ଘଟଣା ନେଇ ଭୟଭୀତ ଯାତ୍ରୀଙ୍କୁ ପାଇଲଟ ଆଶ୍ୱସନା ଦେଉଥିବା ବି ଶୁଣିବାକୁ ମିଳୁଛି।

ଜଣେ ଯାତ୍ରୀଙ୍କ କହିବାନୁସାରେ, ଟେକ୍‌-ଅପ୍‌ର ପାଖାପାଖି ଅଧାଘଣ୍ଟା ପରେ ସ୍ଥିତି ଖରାପ ହୋଇଯାଇଥିଲା। ଯାତ୍ରୀଙ୍କୁ ୫ମିନିଟ୍‌ ପର୍ଯ୍ୟନ୍ତ ଏହାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଜଣେ ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତ ବି ବୋହିଥିଲା।

ସମ୍ବନ୍ଧିତ ଖବର