ଭାରତକୁ ନାଟୋ ପରି ସହଯୋଗୀର ମାନ୍ୟତା ଦେଲା ଆମେରିକା, ଅତ୍ୟାଧୁନିକ ଟେକନଲୋଜୀ ମିଳିବା ସହଜ ହେବ

ଓ୍ଵାସିଂଟନ : ଆମେରିକାରୁ ଅତ୍ୟାଧୁନିକ ପ୍ରତିରକ୍ଷା ଟେକନଲୋଜୀ ପାଇବାରେ ଭାରତକୁ ଆଉ ସମସ୍ୟା ହେବା ନାହିଁ । କାରଣ ଆମେରିକା ଭାରତକୁ ଏକ ସ୍ୱତନ୍ତ୍ର ସହଯୋଗୀ ଦେଶ (ଏସଟିଏ-୧) ମାନ୍ୟତା ଦେଇଛି । ଏପରି ମାନ୍ୟାତା ସାଧାରଣତଃ ନାଟୋ ଦେଶମାନଙ୍କୁ ଦେଇଥାଏ । ଏପରି ମାନ୍ୟତାପ୍ରାପ୍ତ ଦେଶମାନଙ୍କୁ ସାଧାରଣତଃ ଆମେରିକା ଉଚ୍ଚ ଟେକନଲୋଜୀ ସଂପନ୍ନ ସାମରିକ ଓ ବେସାମରିକ ଉପକରଣ ଓ ଟେକନଲୋଜୀ ହସ୍ତାନ୍ତର କରିଥାଏ । ଭାରତକୁ ଏହି ମାନ୍ୟତା ମିଳିବା ପାରେ ଆମେରିକା ଭାରତକୁ କେବଳ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଦେବନି, ସେଗୁଡ଼ିକର ଟେକନଲୋଜୀ ମଧ୍ୟ ହସ୍ତାନ୍ତର କରିବ । ପୂର୍ବରୁ ବିଭିନ୍ନ ପ୍ରକାରର ଟେକନଲୋଜୀ ହାସଲ କରିବା ପାଇଁ ଭାରତ ଆଗରେ ବିଭିନ୍ନ ପ୍ରତିବନ୍ଧକ ରଖୁଥିଲା ଆମେରିକା । କ୍ରାୟୋଜେନିକ ଇଂଜିନ, ପରମାଣୁ ଟେକନଲୋଜୀ, ମିସାଇଲ ଟେକନଲୋଜୀ ଆଦି ହସ୍ତାନ୍ତର ପାଇଁ ଆମେରିକା ରାଜି ହେଉନଥିଲା । ଆମେରିକାରୁ କେତେକ ଉଚ୍ଚପ୍ରଯୁକ୍ତ ସଂପନ୍ନ ସାମଗ୍ରୀ ଆମଦାନୀ କରିବାକୁ ହେଲେ ଲାଇସେନ୍ସ ହାସଲ କରିବାକୁ ହେଉଥିଲା । ଏବେ ସେ ପ୍ରତିବନ୍ଧକ ରହିବ ନାହିଁ । ଭାରତ-ଆମେରିକାର ସାମରିକ ସହଯୋଗିତାକୁ ସ୍ୱୀକୃତି ଦେଇ ଆମେ ଭାରତର ମାନ୍ୟତାକୁ ଏସଟିଏ-୧କୁ ଉନ୍ନିତ କରିଛୁ ବୋଲି କହିଛନ୍ତି ମାର୍କିନ ବାଣିଜ୍ୟ ସଚିବ ଓ୍ଵିଲବର ରସ ।

ସମ୍ବନ୍ଧିତ ଖବର