ଚିକାଗୋରେ ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ସେକ୍ସ୍‍ ର‍୍ୟାକେଟ୍‌ ଠାବ କଲେ ଆମେରିକୀୟ ଗୁଇନ୍ଦା

ହାଇଦ୍ରାବାଦ: ତେଲୁଗୁ ଏବଂ ଅନ୍ୟାନ୍ୟ ଭାରତୀୟ ସମ୍ମିଳନୀଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବା ବାହାନାରେ ଟଲିଉଡ୍‌ ଏବଂ କନ୍ନଡ଼ ଅଭିନେତ୍ରୀମାନଙ୍କୁ ଆମେରିକା ଅଣାଯାଇ ଦେହ ବ୍ୟବସାୟରେ ଲଗାଉ ଥିବା ଏକ ଆନ୍ତର୍ଜାତିକ ର‍୍ୟାକେଟ୍‌ ଆମେରିକୀୟ ତଦନ୍ତକାରୀ ଏଜେନ୍‌ସି ହାତରେ ଧରାପଡ଼ିଛି।

ଏ ପର୍ଯ୍ୟନ୍ତ, ଗଣକା ବୃତ୍ତି ନିମନ୍ତେ ବେଆଇନ୍‌ ଭାବେ ଚିକାଗୋକୁ ଅଣାଯାଇଥିବା ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ୫ ଜଣ ପୀଡ଼ିତାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଅଳ୍ପ ଦିନ ଧରି ଟଲିଉଡ୍‌ ପ୍ରଡ୍‌କ୍‌ସନ୍‌ ମ୍ୟାନେଜର୍‌ ଭାବେ କାମ କରିଥିବା ଏକ ଦମ୍ପତି ଅଣାଇଛନ୍ତି।

ସେମାନଙ୍କ ପରିଚୟ ହେଲା କିଷନ୍‌ ମୋଡୁଗୁମୁଡ଼ି ଓରଫ୍‌ ଶ୍ରୀରାଜ ଚେନ୍ନୁପତି ଓ ଚନ୍ଦ୍ରକଳା ପୂର୍ଣ୍ଣିମା ମୋଡୁଗୁମୁଡ଼ି ଓରଫ୍‌ ବେଭା ଜୟମ୍‌। ଉଭୟ ହାଇଦ୍ରାବାଦର ବାସିନ୍ଦା, କିନ୍ତୁ ବେଆଇନ୍‌ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରୁଛନ୍ତି। ୨୦୧୮ ମସିହା ଏପ୍ରିଲ୍‌ ୨୮ ତାରିଖ ଦିନ ସେମାନଙ୍କୁ ଓ୍ଵାସିଂଟନ୍‌ରେ ଗିରଫ କରାଯାଇଛି। ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି ଇନ୍‌ଭେଷ୍ଟିଗେସନ୍‌ସ୍‌ର ଆମେରିକୀୟ ଫେଡେରାଲ୍‌ ଏଜେଣ୍ଟ୍‌ମାନେ ଇଲିନଇସ୍‌ ଅଦାଲତରେ ଏକ ଅପରାଧିକ ଅଭିଯୋଗ ଦାଏର କରିଛନ୍ତି।

ଦାଏର ହୋଇଥିବା ଅଭିଯୋଗ ଅନୁସାରେ, ୨୦୧୭ ମେ ୧୧ ରୁ ୨୦୧୮ ଜାନୁଆରି ୨୨ ତାରିଖ ମଧ୍ୟରେ ଅପରାଧ ସଂଗଠିତ ହୋଇଥିଲା।
ସେ ଦମ୍ପତି ପୀଡ଼ିତାଙ୍କ ପାଇଁ ଏୟାର୍‌ଲଇନ୍‌ ଟିକିଟ୍‌ କିଣିବା ସହ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲେ। ସେମାନଙ୍କୁ ଚିକାଗୋ ଠାରେ ଥିବା ମୋଡୁଗୁମୁଡ଼ିଙ୍କ ବାସଭବନ ଅଥବା ଆମେରିକାରେ ଥିବା ବିଭିନ୍ନ ହୋଟେଲ୍‌ଗୁଡ଼ିକରେ ରଖା ଯାଉଥିଲା।

ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଉଥିବା ତେଲୁଗୁ ଏବଂ ଅନ୍ୟାନ୍ୟ ଭାରତୀୟ ସମ୍ମିଳନୀ ସବୁକୁ ଅଭିଯୁକ୍ତମାନେ ପୀଡ଼ିତାମାନଙ୍କୁ ନେଇ ଧନଶାଳୀ ଗ୍ରାହକ ଚିହ୍ନଟ କରନ୍ତି।

ଫେଡେରାଲ୍‌ ଏଜେଣ୍ଟ୍‌ମାନେ ଟ୍ରାଭେଲ୍‌ ରେକର୍ଡ ଜବତ୍‌ କରିବା ସହ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିଛନ୍ତି। ହୋଟେଲ୍‌ ରେକର୍ଡ ଏବଂ ତେଲୁଗୁ ଅଭିନେତ୍ରୀଙ୍କ ସହ ଅର୍ଥ ବିନିମୟରେ ସଂସର୍ଗ କରିଥିବା ଗ୍ରାହକମାନଙ୍କ ବୟାନ୍‌ ମଧ୍ୟ ସେମାନେ ସଂଗ୍ରହ କରିଛନ୍ତି। ଅଭିଯୁକ୍ତ ଦମ୍ପତିଙ୍କ ଠାରେ ଖାନତଲାସ କରିବା ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ବର୍ଡର ପାଟ୍ରୋଲ୍‌ କିଛି କାଗଜପତ୍ର, କ୍ରେଡିଟ୍‌ କାର୍ଡ ଏବଂ ମେରିଟୋ ହୋଟେଲ୍‌ ଷ୍ଟେସନାରି ବିଷୟରେ ଏକ ହାତଲେଖା ଚିଠା ପାଇଛନ୍ତି। ଏହାକୁ ସେମାନେ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିଛନ୍ତି।

ଗୋଟିଏ ଚିଠାରେ ଲେଖା ଅଛି ଜଣେ ତେଲୁଗୁ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନାଁ, ଓ୍ଵାସିଂଟନ୍‌ ଡିସି, ଜାନୁଆରି ୧୯ ସକାଳ, ରୁମ୍‌ ନମ୍ବର ୨୦୧୮, ଦୁଇ ଥର ଏବଂ ପରେ ରୁମ୍‌ ନମ୍ବର ୪୦୪, ଥରେ ଆଦି କଥା।

୨୦୧୮ ଫେବ୍ରୁଆରି ୧୬ ତାରିଖ ଦିନ ଚଢ଼ାଉ ସମୟରେ ଦମ୍ପତିଙ୍କ ବାସଭବନରୁ କେତେଗୁଡ଼ିଏ ଜିପ୍‌ଲକ୍‌ ବ୍ୟାଗ୍‌ରେ ପଶିଥିବା ୭୦ଟି କଣ୍ଡୋମ୍‌, ସ୍ଥାୟୀ ରେସିଡେଣ୍ଡ୍‌ କାର୍ଡ ଏବଂ କିଷନ୍‌ଙ୍କ ନାଁରେ ଏକ ସିକ୍ୟୁରିଟି କାର୍ଡ ମିଳିଥିଲା। ଏଥି ସହ ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତିଙ୍କ ସକାଶ ଭିସା ପାଇଁ ହାଇଦ୍ରାବାଦସ୍ଥିତ ୟୁଏସ୍‌ କନ୍‌ସଲ୍‌ଙ୍କୁ ଲିଖିତ ଆମେରିକାଲ୍‌ ତେଲୁଗୁ ଆସୋସିଏସନ୍‌ ଏକ ଚିଠିର ନକଲ୍‌।

ସମ୍ବନ୍ଧିତ ଖବର