ଋଷିଆରୁ ଅସ୍ତ୍ରଶସ୍ତ୍ର କିଣୁଥିବାରୁ ଚୀନ ଉପରେ କଟକଣା ଲଗାଇଲା ଆମେରିକା, ଭାରତକୁ ମଧ୍ୟ ଚେତାବନୀ

ନୂଆଦିଲ୍ଲୀ: ଋଷିଆରୁ ସାମରିକ ଉପକରଣ କିଣିଥିବାରୁ ଚୀନ ସେନା ଉପରେ କଟକଣା ଲଗାଇଛି ଯୁକ୍ତରାଷ୍ଟ୍ର ଆମେରିକା । ବିଶେଷ କରି ଚୀନ ଋଷିଆରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଓ ଲଢୁଆ ବିମାନ କିଣିଥିବାରୁ ଆମେରିକା ଚୀନ ଉପରେ ଏହି କଟକଣା ଲଗାଇଛି । ଭାରତ ମଧ୍ୟ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କଣିଲେ କଟକଣା ଲଗାଯିବ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ତେବେ ଏହି କଟକଣାକୁ ଚୀନ ପକ୍ଷରୁ ବିରୋଧ କରାଯାଇଛି । ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଅନ୍ତର୍ଜାତୀୟ ସଂପର୍କର ଖୋଲା ଉଲ୍ଲଙ୍ଘନ । ଏ ନେଇ ଚୀନ ଆମେରିକା ନିକଟରେ ସରକାରୀ ସ୍ତରରେ ପ୍ରତିବାଦ କରାଯାଇଛି । ୨୦୧୬ରେ ଆମେରିକାରେ ହୋଇଥିବା ନିର୍ବାଚନରେ ଋଷିଆ ହସ୍ତକ୍ଷେପ କରିଥିବାରୁ ଋଷିଆକୁ ଦଣ୍ଡିତ କରିବାକୁ ଆମେରିକା ଏକ ନୂଆ ଆଇନ ପ୍ରଣୟନ କରିଛି । ଏହି ଆଇନ ଅନୁସାରେ ଋଷିଆରୁ ଯେଉଁ ଦେଶ ଅସ୍ତ୍ରଶସ୍ତ୍ର କିଣନ୍ତି ସେମାନଙ୍କ ବିରୋଧରେ ଆମେରିକା କଟକଣା ଲଗାଉଛି । କେବଳ ଋଷିଆ ନୁହେଁ ଇରାନରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ମଧ୍ୟ କଟକଣା ଲଗାଉଛି ।

ସମ୍ବନ୍ଧିତ ଖବର