ଆଲାସ୍କା ଉପକୂଳ ଭିତରକୁ ପଶି ଆସିଥିବା ପରମାଣୁ ବୋମା ନିକ୍ଷେପକାରୀ ଋଷୀୟ ଲଢ଼ୁଆ ବିମାନକୁ ଘଉଡ଼ାଇଲା ଆମେରିକା

ଓ୍ଵାଶିଂଟନ: ଋଷିଆର ପରମାଣୁ ବୋମା ନିକ୍ଷେପକାରୀ ଦୁଇଟି ଲଢ଼ୁଆ ବିମାନ ସହ ଅନ୍ୟ ଦୁଇଟି ଏସ୍‌ୟୁ-୩୫ ଲଢ଼ୁଆ ବିମାନ ଗତ ସୋମବାର ଦିନ ଆଲାସ୍କା ଉପକୂଳର ୨୦୦ ମାଇଲ ଭିତରକୁ ପଶି ଆସିଥିବା ବେଳେ ଆମେରିକାର ଏଫ୍‌-୨୨ ଲଢ଼ୁଆ ବିମାନ ସେଗୁଡ଼ିକୁ ଆକାଶ ପଥରେ ଠାବ କରି ଘଉଡ଼ାଇ ଦେଇଥିବା କହିଛି ନର୍ଥ ଆମେରିକାନ୍‌ ଏରୋସ୍ପେସ୍‌ ଡିଫେନ୍ସ କମାଣ୍ଡ।

ଗତ ସୋମବାର ଦିନ ଋଷିଆର ପରମାଣୁ ବୋମା ନିକ୍ଷେପକାରୀ ଦୁଇଟି ଲଢ଼ୁଆ ବିମାନ ସହ ଅନ୍ୟ ଦୁଇଟି ଏସ୍‌ୟୁ-୩୫ ଲଢ଼ୁଆ ବିମାନ ଆଲାସ୍କାର ଆକାଶ ସୀମା ଭିତରକୁ ପଶି ଆସିଥିବା ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍‌ ଜୋନ୍‌ର ରାଡାରରେ ଜଣାପଡ଼ିବା ପରେ ନର୍ଥ ଆମେରିକାନ୍‌ ଏରୋସ୍ପେସ୍‌ ଡିଫେନ୍ସ କମାଣ୍ଡର ନିର୍ଦ୍ଦେଶ କ୍ରମେ ଆମେରିକାର ଏଫ୍‌-୨୨ ଓ ଇ-୩ ଏୟାରବୋର୍ଣ୍ଣ ବିମାନ ଏହାକୁ ଘଉଡ଼ାଇବା ପାଇଁ ତୁରନ୍ତ ଆକାଶକୁ ଉଠିଥିଲେ। ତେବେ ଆମେରିକାର ଏହି ଦୁଇ ଲଢ଼ୁଆ ବିମାନ ଆକାଶକୁ ଉଠିବା ପରେ ଦେଖିବାକୁ ପାଇଥିଲେ ଯେ ଋଷିଆର ଆଣବିକ ବୋମା ନିକ୍ଷେପକାରୀ ୪ଟି ଟୁପୋଲେଭ୍‌ ଟିୟୁ- ୯୫ ବମ୍ବର୍ସ ଓ ଅନ୍ୟ ଦୁଇଟି ଏସ୍‌ୟୁ- ୩୫ ଲଢ଼ୁଆ ବିମାନ ଆଲାସ୍କା ଉପକୂଳର ୨୦୦ ମାଇଲ ଭିତରକୁ ପଶି ଆସିଛନ୍ତି।

ଏ ଘଟଣା ଦେଖିବା ପରେ ସଙ୍ଗେସଙ୍ଗେ ଆଉ ୪ଟି ଏଫ୍‌-୨୨ ଲଢ଼ୁଆ ବିମାନ ଆକାଶକୁ ଉଠି ଋଷୀୟ ବିମାନର ଗତିପଥକୁ ଅବରୋଧ କରିବା ସହ ଏହାକୁ ଘଉଡ଼ାଇ ଦେଇଥିଲେ। ଏହି ପୂରା ଘଟଣାକ୍ରମର ତଦାରଖ ଓ ସର୍ବେକ୍ଷଣ କରିଥିଲା ଆମେରିକୀୟ ଇ-୩ ଯୁଦ୍ଧ ବିମାନ। ଏହି ଘଟଣାକୁ କେନ୍ଦ୍ରକରି ଏବେ ବିଶ୍ୱର ଦୁଇ ବୃହତ୍ତ ଶକ୍ତି ଆମେରିକା ଓ ଋଷିଆ ମୁହାଁମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି। ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘଟଣାକୁ ସ୍ୱୀକାର କରିବା ସହ ଆଲାସ୍କା ପଶ୍ଚିମ ଉପକୂଳରେ ଏହା ଏକ ନିୟମିତ ଉଡ଼ାଣ ଥିଲା ବୋଲି କହିଛି।

ସମ୍ବନ୍ଧିତ ଖବର