ସିରିୟା ଉପରେ ଆକାଶ ମାର୍ଗରୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍‌ସ କଲେ ମିଳିତ ଆକ୍ରମଣ!

ସିରିୟାକୁ ନେଇ ମୁହାଁମୁହିଁ ହେଉଛନ୍ତି ବିଶ୍ୱର ଦୁଇ ବୃହତ ଶକ୍ତି ଋଷିଆ ଓ ଆମେରିକା

ମସ୍କୋ: ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍‌ସ ସିରିୟା ଉପରେ ଆକାଶ ମାର୍ଗରୁ ଯେଉଁ ଆକ୍ରମଣ କରିଛନ୍ତି, ତାହା କେବଳ ମାତ୍ର ଆକ୍ରୋଶମୂଳକ ଆକ୍ରମଣ ବ୍ୟତୀତ ଅନ୍ୟକିଛି ନୁହେଁ ବୋଲି ଅଭିଯୋଗ କରିଛନ୍ତି ଋଷିଆର ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌। ଏପ୍ରକାରର କାର୍ଯ୍ୟାନୁଷ୍ଠାନ ଦ୍ୱାରା ସିରିୟାରେ ମାନବିକ ଅଧିକାରର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌। ଏହି ଘଟଣା ପରେ କ୍ରେମଲିନ୍‌ ଠାରେ ଜାରି ଏକ ବିବୃତିରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ ଏଘଟଣା ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏହି ଘଟଣା ଉପରେ ଅବିଳମ୍ବେ ମିଳିତ ଜାତିସଂଘର ଏକ ଜରୁରୀ ବୈଠକ ଡ଼କାଇବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରମାନଙ୍କର ଏତାଦୃଶ ଆଚରଣ ଆନ୍ତର୍ଜାତୀୟ ସଂପର୍କରେ ତିକ୍ତତା ଆଣିବା ସହ ତାକୁ ନଷ୍ଟ କରୁଥିବା କହିଛନ୍ତି ପୁତିନ୍‌।

ସିରିଆର ଦୌମା ସହର ଉପରେ ଋଷିଆ ରସାୟନିକ ଆକ୍ରମଣ କରିଛି ବୋଲି ଆମେରିକା ଯେଉଁ ଅଭିଯୋଗ କରୁଛି, ତାହା ସଂପୂର୍ଣ୍ଣ ଅମୂଳକ ବୋଲି ଋଷିଆ ରାଷ୍ଟ୍ରପତି ପୁତିନ୍‌ କହିଛନ୍ତି। ଋଷିଆର ସାମରିକ ବିଶାରଦମାନେ ସିରିଆର ଦୌମା ସହର ଗସ୍ତ କରିବା ସହ ସେଠାରେ ରସାୟନିକ ଆକ୍ରମଣ ସଂପର୍କିତ କୌଣସି ପ୍ରକାରର ଚିହ୍ନବର୍ଣ୍ଣ ପାଇ ନଥିବା କହିଛନ୍ତି ପୁତିନ୍‌। ଏପରିସ୍ଥିତରେ ସଂପୂର୍ଣ୍ଣ ମିଥ୍ୟା ଅଭିଯୋଗ ଆଧାରରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍‌ସ ସିରିୟାର ପୂର୍ବ ଡାମାସ୍କସ୍‌ ସହର ଉପରେ ଆକାଶ ମାର୍ଗରୁ ଯେଉଁ ଆକ୍ରମଣ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କରହିଛନ୍ତି ଋଷିଆ ରାଷ୍ଟ୍ରପତି ପୁତିନ୍‌।

ସମ୍ବନ୍ଧିତ ଖବର