ଋଷିଆକୁ ନ ଛାଡିଲେ ଆମ ବନ୍ଧୁ ହୋଇପାରିବ ନାହିଁ, ଭାରତକୁ କହିବ ଆମେରିକା

ଓ୍ଵାସିଂଟନ : ନିଜର ପୁରୁଣା ବନ୍ଧୁ ଋଷିଆ ଓ ଆଧୁନିକ ବିଶ୍ୱର ସୁପରପାଓ୍ଵାର ଆମେରିକା ମଧ୍ୟରୁ ଗୋଟିକୁ ବାଛିବାକୁ ଭାରତକୁ କହିପାରେ ଆମେରିକା । ଏକଥା ଭାରତକୁ ଧର୍ମସଂକଟରେ ପକାଇଛି ।

ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଭାରତ-ଆମେରିକା ୨+୨ ବୈଠକରେ ଭାରତ ତରଫରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷଣା ସ୍ୱାରଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଆମେରିକୀୟ ପ୍ରତିପକ୍ଷଙ୍କୁ ଭେଟିବେ । ଏହି ବୈଠକରେ ଆମେରିକା ଭାରତକୁ ଋଷିଆ ସହ ସଂପର୍କ ତୁଟାଇବାକୁ କହିପାରେ । ଋଷିଆ ଭାରତର ଏବେ ପ୍ରମୁଖ ସାମରିକ ସହଯୋଗୀ ଥିବାବେଳେ ଆମେରିକାଠାରୁ ଅତ୍ୟାଧୁନିକ ସାମରିକ ଟେକନଲୋଜୀ ପାଇବାକୁ ହେଲେ ଋଷିଆ ସହ ସମ୍ପର୍କ ତୁଟାଇବାକୁ ପଡିବ ବୋଲି ଆମେରିକା ସ୍ପଷ୍ଟ କରିଦେବାର ସମ୍ଭାବନା ରହିଛି ।
ଏକବିଂଶ ଶତାବ୍ଦୀରେ ଆମେରିକା ବିଶ୍ୱର ଏକମାତ୍ର ସୁପରପାଓ୍ଵାର ରହିଛି । କିନ୍ତୁ ଚୀନ ଓ ଋଷିଆ ଧୀରେ ଧୀରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି । ଉଭୟ ସାମରିକ ଓ ଅର୍ଥନୈତିକ ଶକ୍ତିରେ ଚୀନ ଆମେରିକାର ସମକକ୍ଷ ହେବାକୁ ଚାହୁଁଛି । କିନ୍ତୁ ଏସିଆରେ ଚୀନର ପ୍ରଭାବକୁ ହ୍ରାସ କରିବାକୁ ଆମେରିକା ଭାରତକୁ ନିଜର ସାମରିକ ସହଯୋଗୀ କରିବାକୁ ଚାହୁଁଛି । କିନ୍ତୁ ଆମେରିକାକୁ ସଂପୂର୍ଣ୍ଣ ଭାବେ ବିଶ୍ୱାସ କରି ନିଜର ଭରଷାଯୋଗ୍ୟ ବନ୍ଧୁ ଋଷିଆକୁ ଛାଡିବାକୁ ଚାହୁଁନାହିଁ ଭାରତ । ଋଷିଆ ସହିତ ନିଜର ସାମରିକ ସହଯୋଗୀତାକୁ ବଢାଇ ଭାରତ ଏବେ ଏସ-୪୦୦ ଆଣ୍ଟି ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବାକୁ ଭାରତ ଋଷିଆ ସହ ଚୁକ୍ତି ଚୂଡାନ୍ତି କରିଛି । କିନ୍ତୁ ଏହା ଆମେରିକାକୁ କ୍ଷୁବ୍ଧ କରିଛି । ଏଥିପାଇଁ ଆମେରିକା ଭାରତକୁ ନିଜର ଲଢୁଆ ପ୍ରେଡେଟର ଡ୍ରୋନ ଯୋଗାଣ ପ୍ରସ୍ତାବକୁ ବାତିଲ କରିବାକୁ ବିଚାର କରୁଛି ।

ସମ୍ବନ୍ଧିତ ଖବର