ଆମେରିକାରେ ମନ ଇଚ୍ଛା ବୁଲିପାରିବେ ନାହିଁ ପାକ୍‌ କୂଟନୀତିଜ୍ଞ

ଓ୍ଵାସିଂଟନ: ଆମେରିକା ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସଂପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ପାକିସ୍ତାନରେ ଅବସ୍ଥାପିତ ଆମେରିକୀୟ କୂଟନୀତିଜ୍ଞ ଜୋଶେଫ ଇମାନୁଏଲ ହଲ୍‌ ପାକିସ୍ତାନରେ ୩ଜଣ ଲୋକଙ୍କୁ ଗାଡ଼ି ଦୁର୍ଘଟଣା କରି ମାରିଦେବା ପରେ ଏହି ସମ୍ପର୍କ ଜଟିଳ ହୋଇଥିଲା । ଏବେ ଆମେରିକାର ଏକ ନିଷ୍ପତ୍ତି ଏହି ସଂପର୍କକୁ ଆହୁରି ତଳକୁ ନେଇଯାଇଛି । ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟର ଏକ ନିଷ୍ପତ୍ତି ଅନୁଯାୟୀ ଏଣିିକି ଆମେରିକାରେ ଅବସ୍ଥାପିତ ପାକିସ୍ତାନୀ କୂଟନୀତିଜ୍ଞମାନେ ବିନା ଅନୁମତିରେ ନିଜ ପୋଷ୍ଟିଂ ସ୍ଥାନରୁ ୨୫ ମାଇଲ ବାହାରକୁ ଯାଇପାରିବେ ନାହିଁ ।

ଏ ସଂପର୍କରେ ଓ୍ଵାସିଂଟନରେ ଥିବା ପାକ ଦୂତାବାସକୁ ଆମେରିକୀୟ ଷ୍ଟେଟ ଡିପାର୍ଟମେଣ୍ଟ ତରଫରୁ ଏକ ନୋଟିସ୍‌ ପଠାଯାଇଛି ବୋଲି ପାକିସ୍ତାନୀ ଖବରକାଗଜ ଡନ ପ୍ରକାଶ କରିଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପାକିସ୍ତାନ ତାଙ୍କ ବିଷଦୃଷ୍ଟିରେ ରହିଛି । ଆତଙ୍କବାଦକୁ ପ୍ରେତ୍ସାହନ ଦେବା ବନ୍ଦ ନକଲେ କୌଣସି ସହାୟତା ଦିଆଯିବ ନାହିଁ ବୋଲି ଟ୍ରମ୍ପ ଗତ ବର୍ଷ ପାକିସ୍ତାନକୁ ଧମକ ଦେଇଥିଲେ । ଏଥିପ୍ରତି ପାକିସ୍ତାନ କର୍ଣ୍ଣପାତ ନ କରିବାରୁ ଚଳିତ ବର୍ଷ ଆରମ୍ଭରେ ଆମେରିକା ପାକିସ୍ତାନକୁ ସହାୟତା ବନ୍ଦ କରିଥିଲା । ଅନ୍ୟପକ୍ଷରେ ଚୀନ ଓ ଋଷିଆ ପ୍ରତି ପାକିସ୍ତାନ ଢଳୁଥିବାରୁ ଆମେରିକା କ୍ଷୁବଧ ହୋଇଛି ।

ସମ୍ବନ୍ଧିତ ଖବର