ଆଜିଠାରୁ ଲାଗୁ ହେଲା  ଇରାନ ଉପରେ ଆମେରିକାର କଟକଣା, କେବଳ ଭାରତ,ଚୀନ ଓ ଜାପାନ ଇରାନରୁ ତେଲ କିଣିପାରିବେ

ନୂଆଦିଲ୍ଲୀ :  ଆଜିଠାରୁ ଆମେରିକା ଇରାନ ଉପରେ ଆର୍ଥିକ କଟକଣା ଲାଗୁ କରିଛି । ଗୋପନ ଆଣବିକ  କାର୍ଯ୍ୟକ୍ରମ ଚଳାଉଥିବାରୁ ଆମେରିକା ଇରାନ ଉପରେ ଏହି କଟକଣା ଲାଗୁ କରିଛି । ଇରାନଠାରୁ ଯେଉଁ ଦେଶ ତେଲ କିଣିବା ତାହା ଉପରେ ମଧ୍ୟ ଆମେରିକା ଆର୍ଥିକ କଟକଣା ଲଗାଇବ । କିନ୍ତୁ ଆମେରିକାର ଏହି ପଦକ୍ଷେପ ଫଳରେ ବିଶ୍ୱ ବଜାରକୁ ଇରାନର ତେଲ ଯୋଗାଣ ହ୍ରାସ ପାଇବ । ଏହା ଦ୍ୱାରା ଅଶୋଧିତ ତେଲ ଦର ପୁଣି ବଢିବା ଆଶଙ୍କା ଦେଖାଦେଇଛି । ଅବଶ୍ୟ ଭାରତ ପାଇଁ ଆଶ୍ୱସ୍ତିଭରା ଖବର ହେଉଛି ଯେ  କେବଳ ତିନୋଟି ଦେଶ ଇରାନଠାରୁ ତେଲ କିଣିବାକୁ ଅନୁମତି ପାଇବେ । ଅର୍ଥାତ ସେମାନଙ୍କ ବିରୋଧରେ କଟକଣା ଲାଗୁ ହେବ ନାହିଁ । ଏ ସଂପର୍କରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ  ସୂଚନା ଦେଇଚନ୍ତି ।  କିନ୍ତୁ ଏହି ସୁବିଧା ସୀମିତ ସମୟ ପାଇଁ ଉପଲବ୍ଧ ହେବ ବୋଲି ଆମେରିକା ସ୍ପଷ୍ଟ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଭାରତର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ କୁ ଇରାନରୁ  ୧.୨୫ ନିୟୁତ ଟନ ଅଶୋଧିତ ତେଲ ଆମଦାନୀ କରିବାକୁ ଆମେରିକା ଅନୁମତି ଦେବ । ଏ ନେଇ ଦୁଇ ଦେଶ ସହମତ ହୋଇଛନ୍ତି ଓ ଆସନ୍ତା କିଛି ଦିନ ମଧ୍ୟରେ ଏ ନେଇ ଘୋଷଣା କରାଯିବ ।  ଏହା ହେଲେ ଭାରତ ଶସ୍ତାରେ ତେଲ ପାଇପାରିବ ।

ସମ୍ବନ୍ଧିତ ଖବର