ଭାରତକୁ ସାହାଯ୍ୟ କରିବାକୁ ଆସନ୍ତା ସୋମବାରଦିନ ଏକ ବିଲରେ ସ୍ୱାକ୍ଷର କରିବେ ଟ୍ରମ୍ପ, ଏହାପରେ ଋଷିଆଠାରୁ ଏସ-୪୦୦ କ୍ରୟ ପାଇଁ ପଥ ପରିଷ୍କାର ହୋଇଯିବ

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ସୋମବାରଦିନ ଏକ ବିଲ୍‌ରେ ସ୍ୱାକ୍ଷର କରିବେ । ଏହି ବିଲ ପାଶ ହେବା ପରେ ଋଷିଆଠାରୁ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ କିଣିଲେ ଭାରତ ଉପରେ କଟକଣା ଲାଗୁହେବ ନାହିଁ । ଏହି ବିଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତିର ଏକ ବଡ଼ ବିଜୟ ବୋଲି କୁହାଯାଉଛି । ନାସନାଲ ଡିଫେନ୍ସ ଅଥରାଇଜେନ ଆକ୍ଟ –୨୦୧୯ ପୂର୍ବରୁ ହିଁ ଆମେରିକା ସିନେଟ ଓ ହାଉସ୍‌ ଅଫ ରିପ୍ରେଜେଣ୍ଟେଟିଭରେ ପାଶ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ଅପେକ୍ଷାରେ ରହିଛି ।
ଋଷିଆଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ କଟକଣା ଲାଗୁ ପାଇଁ ଆମେରିକା ଏକ ଆଇନ ପ୍ରଣୟନ କରିଛି । ଏହାର ନାମ ହେଉଛି କାଉଣ୍ଟରିଂ ଆମେରିକାସ ଆଡଭର୍ସାରିଜ୍‌ ଥ୍ରୁ ସାଙ୍କସନ୍ସ ଆକ୍ଟ ( କାଟସା) । ତେବେ ଏହି ଆଇନ ରେ ଏକ ସଂଶୋଧନ ଆଣି ଭାରତ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ପାଇଁ ପେଣ୍ଟାଗନ ଦାବି କରିଆସୁଥିଲା ।
ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦରୁ ପଛକୁ ଫେରିବାର ପ୍ରଶ୍ନ ହିଁ ଉଠୁନାହିଁ ବୋଲି ଭାରତ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା । ଭାରତ ଗ୍ରସ୍ତରେ ଆସିଥିବା ଆମେରିକାର କଂଗ୍ରେସ ପ୍ରତିନିଧିମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଥିଲା । ଋଷିଆ ସହ ଭାରତର ଦୀର୍ଘ କାଳରୁ ସାମରିକ ସଂପର୍କ ରହିଆସିଛି । ଏହାକୁ ଭାଙ୍ଗିବା ସହଜ ନୁହେଁ ବୋଲି ଭାରତ ଜଣାଇଦେଇଥିଲା ।

ସମ୍ବନ୍ଧିତ ଖବର