ଜାତିସଂଘ ମାନବିକ ଅଧିକାର ପରିଷଦ୍‌ରୁ ଓହରିଗଲା ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍‌: ଇସ୍ରାଏଲ୍‌ ବିରୋଧରେ କ୍ରମାଗତ ପକ୍ଷପାତ କରୁଥିବା ଦୋଷ ଦେଖାଇ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଜାତିସଂଘ ମାନବିକ ଅଧିକାର ପରିଷଦ୍‌ରୁ ଓହରି ଆସିଛି। ଏ ଭଳି ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ମାନବିକ ଅଧିକାରର ଅଗ୍ରଗତି ଆହୁରି କଠିନ ହୋଇଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ଗୃହ ମନ୍ତ୍ରାଳୟ ସଚିବ ମାଇକ୍‌ ପୋମ୍ପେଓଙ୍କୁ ସମର୍ଥନ କରି ଜାତିସଂଘ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି ରୁଷ୍‌, ଚୀନ୍‌, କ୍ୟୁବା ଏବଂ ମିଶରକୁ ସମାଲୋଚନା କରିଛନ୍ତି। ପରିଷଦ୍‌ରେ ସଂସ୍କାର ଆଣିବାକୁ ଉଦ୍ୟମ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାକୁ ଏହି ରାଷ୍ଟ୍ରସମୂହ ବାଧା ଦେଉଛନ୍ତି ବୋଲି ସେମାନେ କହିଛନ୍ତି। ଆମେରିକାର ମୂଲ୍ୟବୋଧକୁ ଗ୍ରହଣ କରୁଥିବା ଏବଂ ପରିଷଦ୍‌ରେ ରହିବାକୁ ଓ୍ଵାସିଂଟନ୍‌କୁ ଉତ୍ସାହ ଦେଉଥିବା ଦେଶଗୁଡ଼ିକୁ ମଧ୍ୟ ନିକ୍କି ସମାଲୋଚନା କରିଛନ୍ତି। କାରଣ ସବୁ ସତ୍ତ୍ୱେ ସେମାନେ ପରିଷଦ୍‌ର ସ୍ଥିତାବସ୍ଥାକୁ ଚାଲେଞ୍ଜ୍‌ କରିବାକୁ ଆନ୍ତରିକତା ଦେଖାଇବାକୁ ଅନିଚ୍ଛୁକ ବୋଲି ଜଣାପଡ଼ିଛି।

ଜାତିସଂଘର ମୁଖ୍ୟ ମାନବିକ ଅଧିକାର ପରିଷଦ୍‌ର ତିନି ବର୍ଷିଆ କାର୍ଯ୍ୟକାଳରୁ ଯୁକ୍ତରାଷ୍ଟ୍ର ଆମେରିକା ଦେଢ଼ ବର୍ଷ ପୂରଣ କରିଛି। ଜେନେଭାସ୍ଥିତ ୪୭ ସଦସ୍ୟ ବିଶିଷ୍ଟ ପରିଷଦ୍‌ରେ ସଂସ୍କାର ଅଣା ନ ଗଲେ ଆମେରିକା ସେଥିରୁ ଓହରି ଯିବ ବୋଲି ଦୀର୍ଘ ଦିନ ହେବ ଟ୍ରମ୍ପ୍‌ ପ୍ରଶାସନ ଧମକ ଦେଇ ଆସୁଥିଲା।

ହେଲି ଆହୁରି ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ୍‌ ପ୍ରତି ଅସମାନୁପାତିକ ଧ୍ୟାନ ଏବଂ ତିକ୍ତତା ସ୍ପଷ୍ଟ ପ୍ରମାଣ କରୁଛି ଯେ ପରିଷଦ୍‌ ମାନବିକ ଅଧିକାର ନୁହେଁ ରାଜନୈତିକ ପକ୍ଷପାତିତାରେ ପରିଚାଳିତ ହେଉଛି।

ପ୍ୟାରିସ୍‌ ଜଳବାୟୁ ଚୁକ୍ତି ଏବଂ ୨୦୧୫ ଇରାନ୍‌ ଆଣବିକ ଚୁକ୍ତିରୁ ଓହରିବା ପରେ କୌଣସି ବହୁପାକ୍ଷିକ ବ୍ୟବସ୍ଥାକୁ ନାକଚ କରିବାରେ ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସଦ୍ୟତମ ପଦକ୍ଷେପ।

ସମ୍ବନ୍ଧିତ ଖବର