ଏକ ଗୋପନ ସାମରିକ ଗବେଷଣା କରୁଛି ଆମେରିକା, ସଫଳ ହେଲେ ବିଶ୍ୱରେ ଅପରାଜେୟ ହୋଇଯିବ

ଓ୍ଵାସିଂଟନ : ବିଶ୍ୱରେ ଆମେରିକାର ପ୍ରତିପତ୍ତି କ୍ରମଶଃ ହ୍ରାସ ପାଉଛି । ଚୀନ, ଋଷିଆ ଆଦି ଦେଶ ନିଜର ଶକ୍ତି ବଢାଇଚାଲିଛନ୍ତି, ପ୍ରତି ପଦକ୍ଷେପରେ ଚ୍ୟାଲେଞ୍ଜ କରୁଛନ୍ତି । ପୁଣି ଉତ୍ତରକୋରିଆ, ଇରାନ, ପାକିସ୍ତାନ ଆଦି ଅମାନିଆ ଦେଶର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଚିନ୍ତିତ । ଏସବୁ ଦେଶମାନଙ୍କରୁ କୌଣସି ସମୟରେ ଆମେରିକା ଉପରେ ଆଣବିକ ଆକ୍ରମଣ ହୋଇପାବେ ବୋଲି ଆମରିକା ଆଶଙ୍କା କରୁଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ଏକ ସ୍ୱତନ୍ତ୍ର ସାମରିକ ଗବେଷଣା ଉପରେ କାର୍ଯ୍ୟକରୁଛି । ଏହି କାର୍ଯ୍ୟକ୍ରମରେ ସଫଳ ହେଲେ ଆମେରିକା ସମଗ୍ର ବିଶ୍ୱରେ ଅପରାଜେୟ ହୋଇଯିବ, ତାକୁ ଚ୍ୟାଲେଞ୍ଜ କରିବାକୁ କାହାର ସାହସ ହେବ ନାହିଁ ।
ଏହି ଯୋଜନା ଅନୁସାରେ ଆମେରିକା କ୍ରୁତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଏକ ସ୍ୱତନ୍ତ୍ର ଷ୍ଟ୍ରାଇକ କମାଣ୍ଡ ଗଠନ କରିବ । ଏହି ବ୍ୟବସ୍ଥା ବିଭିନ୍ନ ଦେଶର ପରମାଣୁ ଅସ୍ତ୍ର ଗୁଡ଼ିକ ଉପରେ ନଜର ରଖିବ । ଏପରିକି ଏକ ଦେଶ କେଉଁ ସ୍ଥାନରେ ଅଣୁ ଅସ୍ତ୍ର ରଖିଛି ତାହା ଆମେରିକା ଜାଣି ପାରିବ । ଯଦି କୌଣସି ଦେଶ ଆମେରିକା ବା ତା ମିତ୍ର ଦେଶମାନଙ୍କ ଉପରେ ଆଣବିକ ଆକ୍ରମଣ କରିବାକୁ ପ୍ରସ୍ତୁତି ଆରମ୍ଭ କରେ ତାହାର ଖବର ତୁରନ୍ତ ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପାଖରେ ପହଞ୍ଚିବ । ଖବର ପହଞ୍ଚିବା ପରେ ଅତି ଅଳ୍ପ ସମୟରେ ଆମେରିକା ଉକ୍ତ ପରମାଣୁ ଅସ୍ତ୍ର ଥିବା ଅଂଚଳ, ମିସାଇଲ ଲଞ୍ଚ ପ୍ୟାଡ ଆଦିକୁ ଧ୍ୱଂସ କରିଦେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ କାର୍ଯ୍ୟ ସଂପୂର୍ଣ୍ଣ ସ୍ୱୟଂଚାଳିତଭାବେ ନିମିଷକରେ ହେବ । ଏଣୁ ଶତ୍ରୁ ଦେଶ ଆକ୍ରମଣ କରିବା ପୂର୍ବରୁ ହିଁ ଧ୍ୱଂସ ପାଇଯିବ । ପେଣ୍ଟାଗନରେ ଏକ ଅତି ଗୋପନୀୟତାର ସହ ଏହି ଗବେଷଣା ଚାଲିଛି । ଏଥିପାଇଁ ପ୍ରାରମ୍ଭିକ ଭାବେ ଆମେରିକା ସରକାର ୮୩ ନିୟୁତ ଡଲାର ଯୋଗାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର