ପାକିସ୍ତାନକୁ ଆମେରିକାର ପରାମର୍ଶ:ଶାନ୍ତି ପାଇଁ ମୋଦୀଙ୍କୁ ସମର୍ଥନ କର

ଆଫଗାନ୍‌ ଶାନ୍ତି ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ଇମ୍ରାନଙ୍କୁ ଚିଠି ଲେଖିଲେ ଟ୍ରମ୍ପ୍‌

ଇସଲାମାବାଦ୍‌: ଶାନ୍ତି ପ୍ରସଙ୍ଗରେ  ପାକିସ୍ତାନକୁ ଠୋସ୍‌ ପରାମର୍ଶ ଦେଇଛି ଆମେରିକା। ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟ୍ଟିସ୍‌  କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି ରକ୍ଷା କରିବାକୁ ଚେଷ୍ଟା‌ କରୁଥିବା ଜାତିସଂଘ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କୁ ଏବେ ସହଯୋଗ କରିବାର ସମୟ ଆସିଛି। ପ୍ରତ୍ୟେକ ଏବେ ସମର୍ଥନର ହାତ ବଢ଼ାଇବା ଦରକାର। ପାକିସ୍ତାନ ଯଦି ପଡ଼ୋଶୀ ଆଫଗାନିସ୍ତାନରେ ଯୁଦ୍ଧ ବନ୍ଦ ହେବା ଚାହୁଛି, ତେବେ ଏହା ତାଲିବାନ୍‌ ସହ ଶାନ୍ତି କଥାବାର୍ତ୍ତା ପାଇଁ ଏକ ବାସ୍ତବିକ ଭୂମିକା ନିର୍ବା‌ହ କରିବା ଉଚିତ୍‌ ବୋଲି ମାଟ୍ଟିସ୍‌ କହିଛନ୍ତି।
ଅନ୍ୟପକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଫଗାନ ଶାନ୍ତି ପ୍ରସଙ୍ଗରେ ପାକିସ୍ତାନର ସହାୟତା ଚାହି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଚିଠି ଲେଖିଛନ୍ତି। ଆଫଗାନ୍‌ ସୁରକ୍ଷାବାହିନୀ ଏବଂ ଆଫଗାନ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଦୀର୍ଘ ୧୭ ବର୍ଷର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବାପାଇଁ ଟ୍ରମ୍ପ୍‌ ଚାହିଛନ୍ତି ବୋଲି ଦକ୍ଷିଣ ଏସୀୟ ଦେଶର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି। ଏହି ପ୍ରସଙ୍ଗରେ ତାଲିବାନକୁ କଥାବାର୍ତ୍ତା ଲାଗି ରାଜି କରିବାପାଇଁ ଟ୍ରମ୍ପ୍‌ ପାକିସ୍ତାନର ସହଯୋଗ ଚାହିଛନ୍ତି। ଟ୍ରମ୍ପ୍ ଇମ୍ରାନ୍‌ଙ୍କୁ ଦେଇଥିବା ଚିଠିରେ କହିଛନ୍ତି ଯେ ଆଫଗାନିସ୍ତାନ ବିବାଦ ସମାଧାନ କରିବା ଦିଗରେ ପାକିସ୍ତାନ ସମ୍ପର୍କ ଆମେରିକା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଆଫଗାନ ରାଷ୍ଟ୍ରପତି ଆଶ୍ରଫ୍‌ ଘନି କହିଥିଲେ ଯେ ତାଲିବାନ ସହ ଶାନ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ୧୨ଟି ଟିମ୍‌ ଗଠନ ହୋଇଛି। କିନ୍ତୁ ଏହା ମଧ୍ୟ ଚେତାଇ ଦେଇଥିଲେ ଯେ କୌଣସି ଚୁକ୍ତି କାର୍ଯ୍ୟକାରୀ ହେବାପାଇଁ ୫ ବର୍ଷ ଲାଗିଯିବ।

ସମ୍ବନ୍ଧିତ ଖବର