ଟ୍ରମ୍ପ୍‌-କିମ୍‌ ଶିଖର ବୈଠକ:ପୁଣି ସର୍ତ୍ତ ରଖିଲା ଆମେରିକା

ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରିବାକୁ ତାଗିଦ

ନ୍ୟୁୟର୍କ : ସିଙ୍ଗାପୁରରେ ଜୁନ୍‌ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନଙ୍କ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ଉଭୟ ରାଷ୍ଟ୍ର ମଧ୍ୟରେ ପରମାଣୁ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଉତ୍ତର କୋରିଆ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ବିକାଶ କରିବା ସହ ଆମେରିକା ପର୍ଯ୍ୟନ୍ତ ପହଞ୍ଚିପାରୁଥିବା ପରମାଣୁ କ୍ଷେପଣାସ୍ତ୍ର ତୟାର ରଖିଥିବାରୁ ଏହାକୁ ନଷ୍ଟ କରିବାକୁ ଆମେରିକା ଗୁରୁତ୍ୱାରୋପ କରିଛି। ଉତ୍ତର କୋରିଆର ବରିଷ୍ଠ ପ୍ରତିରକ୍ଷା ଅଧିକାରୀମାନେ ଆମେରିକା ଗସ୍ତ କରି ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଓ ଅନ୍ୟ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଉତ୍ତର କୋରିଆର ପରିବର୍ତ୍ତିତ ପରମାଣୁ ନୀତିକୁ ଏବେ ଆମେରିକା ସମୀକ୍ଷା କରୁଛି ଏବଂ ଏ ବାବଦରେ ବୈଠକ ପୂର୍ବରୁ ଉତ୍ତର କୋରିଆକୁ ନିର୍ଦ୍ଧାରିତ ସର୍ତ୍ତ ସଂପର୍କରେ ଅବଗତ କରାଯିବ ବୋଲି ଜଣାପଡ଼ିଛି । ତେବେ ପରମାଣୁ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ ରଖିଲେ ହିଁ ଶାନ୍ତି ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଆମେରିକା ସର୍ତ୍ତ ରଖିଥିବାରୁ ଶିଖର ବୈଠକରେ ମଧ୍ୟ ଏହି ଗୋଟିଏ ପ୍ରସଙ୍ଗ ଛାଇଁ ରହିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଚୀନ୍‌ ଏବେ ଉତ୍ତର କୋରିଆ ଏବଂ ଆମେରିକା ସଂପର୍କ ଉପରେ ସତର୍କ ନଜର ରଖିଛି । ଦକ୍ଷିଣ କୋରିଆ ଏବେ ଉତ୍ତର କୋରିଆକୁ ସଂପୂର୍ଣ୍ଣ ସମର୍ଥନ କରୁଥିବାରୁ ଶିଖର ବୈଠକ ନେଇ ସମସ୍ତ ରାଷ୍ଟ୍ର ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର