Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ବୋମାବର୍ଷୀ ବିମାନ ସବୁକୁ ସଜାଗ ରଖିଲା ଆମେରିକା

ଘନଉଛି ଯୁଦ୍ଧ ଆଶଙ୍କା

0 1,156

ଓ୍ଵାସିଂଟନ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଏକଜିଦିଆ ପଣ ଲାଗି ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି। ଆମେରିକାର ଟ୍ରମ୍ପ ପ୍ରଶାସନ ଏବଂ କିମ୍‌ ଜଙ୍ଗଙ୍କ ଯୁଦ୍ଧଖୋର ମନୋବୃତ୍ତି ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ଏକ ଅବଶ୍ୟମ୍ଭାବୀ ଯୁଦ୍ଧ ଆଶଙ୍କାରେ ବିଶ୍ୱ ସମୁଦାୟ ଆତଙ୍କିତ ହୋଇପଡ଼ିଛନ୍ତି। ଏଥିପାଇଁ ଆମେରିକା ଓ ଉତ୍ତର କୋରିଆ ପରସ୍ପରକୁ ଦୋଷାରୋପ କରି ଚାଲିଥିବା ବେଳେ ଶାନ୍ତି ପ୍ରତିଷ୍ଠା ଦିଗରେ କେହି ଜଣେ ବି ନରମ ଆଭିମୁଖ୍ୟ ପୋଷଣ କରୁନାହାନ୍ତି। ଯୁଦ୍ଧ ହେଲେ ସେଥିପାଇଁ ଆମେରିକା ଦାୟୀ ରହିବ ବୋଲି କିମ୍‌ ଜଙ୍ଗ କହିବା ପରେ ଆଜି ଆମେରିକା ତା’ର ବୋମାବର୍ଷୀ ବିମାନଗୁଡ଼ିକୁ ଚବିଶ ଘଣ୍ଟିଆ ସତର୍କ ରହିବା ଲାଗି ରାଷ୍ଟ୍ରପତି ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଛନ୍ତି।
ଆମେରିକାର ସୁରକ୍ଷା ଏବଂ ସାମରିକ ସଂକ୍ରାନ୍ତ ପ୍ରମୁଖ ବିବରଣୀ ରଖୁଥିବା  ଓ୍ଵବ୍‌ସାଇଟ୍‌ ‘ଡିଫେନ୍ସ ଓ୍ଵାନ୍‌’ ଅନୁଯାୟୀ, ଆମେରିକା ବାୟୁସେନାର ବୋମାବର୍ଷୀ ବିମାନ ବି-୫୨ଗୁଡ଼ିକୁ ତୁରନ୍ତ ଆଣବିକ ଅସ୍ତ୍ରରେ ଖଚିତ କରି ରଖିବାକୁ କୁହାଯାଇଛି। ଏପରିକି ଯେ କୌଣସି ସମୟରେ ନିର୍ଦ୍ଦେଶ ପାଇଲା ମାତ୍ରେ ଯୁଦ୍ଧକ୍ଷେତ୍ରରେ ପହଞ୍ଚି ବୋମା ନିକ୍ଷେପ କରିବା ପାଇଁ ସଜାଗ ରହିବାକୁ ଟ୍ରମ୍ପ ପ୍ରଶାସନ ବାୟୁ ସେନାବାହିନୀକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୧୯୯୧ ମସିହାରେ ଶୀତଳ ଯୁଦ୍ଧର ଅବସାନ ପରେ ଆମେରିକା ପ୍ରଥମ ଥର ପାଇଁ ଏପରି ବୋମାବର୍ଷୀ ବିମାନକୁ ଜାଗତିଆର କରି ରଖୁଥିବା ଜଣାଯାଇଛି। ଅପରପକ୍ଷେ, ଏପରି ଯୋଜନା କୌଣସି ନିର୍ଦ୍ଦିଷ୍ଟ ଘଟଣାକୁ ଭିତ୍ତି କରି ହୋଇନାହିଁ ବୋଲି ଆମେରିକା ବାୟୁସେନା ମୁଖ୍ୟ ଡେଭିଡ୍‌ ଗୋଲ୍ଡଫିନ୍‌ କହିଛନ୍ତି। ତେବେ ସାମ୍ପ୍ରତିକ ସ୍ଥିତିରେ ଆମେରିକା ସାମରିକ ଦୃଷ୍ଟିକୋଣରୁ ସଦାପ୍ରସ୍ତୁତ ବୋଲି ଜଣାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଯଦିଓ ସଜାଗ ରହିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଠାରୁ ନିର୍ଦ୍ଦେଶ ପହଞ୍ଚିନାହିଁ, ତେବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଗୋଲ୍ଡଫିନ୍‌ କହିଛନ୍ତି।
ତେବେ ଆମେରିକାର ଏଭଳି ପ୍ରସ୍ତୁତି ପଛରେ ତିନିଟି କାରଣ ରହିଥିବା ଚର୍ଚ୍ଚା ହେଉଛି। ପ୍ରଥମତଃ ଉତ୍ତର କୋରିଆର ଆଣବିକ ଅସ୍ତ୍ର ହାସଲ କରିବାର ଦକ୍ଷତା ବୃଦ୍ଧି ବିପଦକୁ ଆହ୍ଵାନ କରୁଛି। ଦ୍ୱିତୀୟତଃ କିମ୍‌ ଜଙ୍ଗ ପ୍ରଶାସନ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗୀ ସ୍ଥିତିକୁ ଜଟିଳ କରୁଛି। ସେହିପରି ରୂଷିଆର ସକ୍ରିୟ ସେନାବଳ ହିଁ ଆମେରିକାକୁ ବିବ୍ରତ କରୁଛି। ତେବେ କୋରିଆ ଉପଦ୍ୱୀପରେ ଯେ କୌଣସି ସମୟରେ ଏକ ଆଣବିକ ଯୁଦ୍ଧ ଘଟିପାରେ ବୋଲି କିମ୍‌ ଜଙ୍ଗ ପ୍ରଶାସନ ବିଶ୍ୱ ସମୁଦାୟକୁ ସତର୍କ କରିବାର ସପ୍ତାହକ ପରେ ଆମେରିକାର ଏଭଳି ଆଭିମୁଖ୍ୟ ଏକ ନିଶ୍ଚିତ ପରମାଣୁ ଯୁଦ୍ଧକୁ ଆହ୍ଵାନ କରୁଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

one × 5 =