ପାକିସ୍ତାନକୁ ପୁଣି କଡ଼ା ଚେତାବନୀ ଦେଲା ଆମେରିକା:ତାଲିବାନ ନେତାଙ୍କୁ ହଟାଅ, ନହେଲେ ନିପାତ କରିବୁ

ଓ୍ଵାସିଂଟନ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ୨୧ ତାରିଖ ଦିନ ଏକ ଅନ୍ତର୍ଜାତୀୟ ହୋଟେଲରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ନେଇ ଆମେରିକା ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ପାକିସ୍ତାନ-ଆଫଗାନ ସୀମାରେ ସକ୍ରିୟ ଥିବା ତାଲିବାନ ନେତାମାନେ ଏହି ଆକ୍ରମଣ ଯୋଜନା କରିଥିବାରୁ ପାକିସ୍ତାନ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ବୋଲି ଆମେରିକା ଆଜି ଚେତାଇ ଦେଇଛି। ପାକିସ୍ତାନରେ ବହୁ ସଂଖ୍ୟାରେ ତାଲିବାନ ନେତା ଆତ୍ମଗୋପନ କରି ସେମାନଙ୍କ ଘୃଣ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ପାକିସ୍ତାନ ମାଟିକୁ ବ୍ୟବହାର କରି ସେମାନେ ବର୍ବର ନରସଂହାର ଘଟାଇ ଚାଲିଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱ ପାକିସ୍ତାନର ବୋଲି ଆଜି ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ପାକିସ୍ତାନରେ ଥିବା ତାଲିବାନ ନେତାଙ୍କୁ ତୁରନ୍ତ ତଡ଼ିବା, ବନ୍ଦୀ କରିବା ଏବଂ ନିପାତ କରିବା ଦିଗରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେମାନଙ୍କୁ ପାକିସ୍ତାନ ମାଟିରେ ନିପାତ କରିବାକୁ ଆମେରିକା ସମୁଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାଇ ଦେଇଛି। ଆମେରିକାର ଏହି ଚେତାବନୀ ପରେ ପାକିସ୍ତାନ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି ଏବଂ ଏ ବାବଦରେ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର