ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ ନାଗର ସଫଳ ପରୀକ୍ଷଣ , ଭିଡିଓ ଜାରି କଲା ଡିଆରଡିଓ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ରାଜସ୍ଥାନର ପୋଖରାନ ରେଞ୍ଜରେ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (ଏଟିଜିଏମ୍) ‘ନାଗ’ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ମରୁଭୂମି ଭଳି ପରିବେଶରେ ଭିନ୍ନ ଭିନ୍ନ ସ୍ଥାନରେ ଏବଂ ସମୟ ନିର୍ଘଣ୍ଟ ସ୍ଥିର କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା। ଏହା ୟୁଜର୍ସ ଟ୍ରାୟାଲ ଥିବାରୁ ନାଗ ସେନାରେ ସାମିଲ ହେବାର ପଥ ପରିଷ୍କାର ହୋଇଛି । ନାଗ ମିସାଇଲ ବିଶେଷତ୍ବ ହେଉଛି ଏହା ଅତି କମରେ ୫୦୦ ମିଟରରୁ ଆରମ୍ଭ କରି ୪ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କ୍କୁ ଧ୍ବଂସ କରିପାରିବ । ଏହା ଯେକୌଣସି ପାଣିପାଗରେ ଓ ରାତିରେ ମଧ୍ୟ ନିଜର ଟାର୍ଗେଟକୁ ଧ୍ବଂସ କରିପାରିବ ବୋଲି ଡିଆରଡିଓ କହିଛି । ଏହି ପରୀକ୍ଷଣ ସଂପର୍କିତ ଏକ ଭିଡିଓ ଡିଆରଡିଓ ପକ୍ଷରୁ ଜାରି କରଯାଇଛି ।

 

‘ଥାର୍ଡ ଜେନେରେସନ୍’ର ଫାୟାର୍-ଆଣ୍ଡ୍-ଫର୍ଗେଟ୍ ‘ଏଟିଜିଏମ୍’କୁ ବିକଶିତ କରିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍ଡିଓ)। ଏହି ପରୀକ୍ଷା ସହ ତା’ର ବିକାଶମୂଳକ ପରୀକ୍ଷା ପୂର୍ଣ୍ଣ ହୋଇଛି। ଏବେ ଏହା ସେନାବାହିନୀରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଯାଇଛି ବୋଲି ଜଣାପଡିଛି । ‘ମିସାଇଲ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ସିଷ୍ଟମ୍ର’ ଡାଇରେକ୍ଟର ଜେନେରାଲ୍ ଡକ୍ଟର୍ ସତୀଶ ରେଡ୍ଡି କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଛି।

ସମ୍ବନ୍ଧିତ ଖବର