ଉତ୍ତରପ୍ରଦେଶ: ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ଘରକୁ ଗୁଳି ଚଳାଇ ହାତବୋମା ଫିଙ୍ଗିଲେ ଅଜ୍ଞାତ ଦୁର୍ବୃତ୍ତ

ମିରଟ: ବୁଧବାର ବିଳମ୍ବିତ ରାତ୍ରୀରେ ବିଜେପି ବିଧାୟକ ସଙ୍ଗୀତ ସୋମଙ୍କ ଉତ୍ତରପ୍ରଦେଶସ୍ଥିତ ବାସଭବନକୁ କେତେକ ଅଜ୍ଞାତ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି।

ଦୁର୍ବୃତ୍ତମାନେ ଗୁଳି ଚଳାଇବା ସହ ତାଙ୍କ ବାସଭବନ ଉପରକୁ ହାତବୋମା ଫିଙ୍ଗିଥିଲେ। ମିରଟ ଏସ୍‌ଏସ୍‌ପି ଅଖିଳେଶ କୁମାରଙ୍କ କହିବା ଅନୁସାରେ ଗୁରୁବାର ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ ସମୟରେ ଘଟନା ଘଟିଥିଲା। ଘଟନାସ୍ଥଳରୁ ମିଳିଥିବା ଖୋକାଗୁଡ଼ିକୁ ଫୋରେନ୍‌ସିକ୍‌ ଟିମ୍‌ ଯାଞ୍ଚ କରୁଛନ୍ତି। ସେଠାରୁ ଗୋଟାଏ ହାତ ବୋମା ବି ମିଳିଛି।

ଗାର୍ଡ କେବିନ୍‌ ଓ ବାସଭବନର ମୁଖ୍ୟ ଫାଟକ ଆଡ଼କୁ ଲକ୍ଷ୍ୟ କରି ଗୁଳି ଚଳାଯାଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବ ବୋଲି ଏସ୍‌ଏସ୍‌ପି କୁମାର କହିଛନ୍ତି।

ଯାହାହେଉ, ଗୁଳି ଓ ବୋମା ଫିଙ୍ଗା କାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି।

ଘଟନା ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ବିଧାୟକ ସୋମ କହନ୍ତି: ମୋତେ କେହି ଧମକ ଦେଇ ନ ଥିଲେ। କିନ୍ତୁ,ହଁ, ମୋତେ ବୋମା ପକାଇ ହତ୍ୟା କରାଯିବ ବୋଲି ଦୁଇ ବର୍ଷ ପୂର୍ବେ କଲ୍‌ ପାଇଥିଲି।

ସମ୍ବନ୍ଧିତ ଖବର